thelifelinemedia
Latest Odisha News, Breaking News Today

ବାତ୍ୟା ଦାନାକୁ ନେଇ ସମୀକ୍ଷା: ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାପାଳଙ୍କ ସହିତ ବାତ୍ୟା ମୁକାବିଲା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୧ଟି ଜିଲ୍ଳାର ୩୮ଟି ବ୍ଲକର ୧୬୫୩ଟି ଗ୍ରାମ , ୯ଟି ପୌରାଞ୍ଚଳ ଓ ୨୬ଟି ୱାର୍ଡ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଥିବା ତଳିଆ ଓ ବିପଦଶଙ୍କୁଳ ଅଞ୍ଚଳରୁ ସମୁଦାୟ ୩,୬୨,୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରିବାର ଲକ୍ଷ୍ୟ ରହିଛି। ଆଜି ଦିନ ୧୧ଟା ସୁଦ୍ଧା ୩ଲକ୍ଷ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଉ କିଛି ଘଣ୍ଟା ମଧ୍ୟରେ ସ୍ଥାନାନ୍ତର ପ୍ରକ୍ରିୟାରେ ଶତ ପ୍ରତିଶତ ସଫଳତା ହାସଲ ହେବ ବୋଲି ସେ କହିଥିଲେ।ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ୨୩୩୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନା ଓ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଥିଲେ। ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲା ଗୁଡିକରେ ୮୪୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଓ ୬୪୪୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ ୭୨୮୫ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଅଛି।

Leave A Reply

Your email address will not be published.