ଶୂନ୍ୟ ମୃତାହତ ଲକ୍ଷ୍ୟ ସଫଳ: ବାତ୍ୟା ପରିଚାଳନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟି ସଫଳ ହୋଇଛି। କୌଣସି ଜୀବନ ହାନି ହୋଇନି। ମହାପ୍ରଭୁଙ୍କ କୃପାରୁ ସଫଳତାର ସହିତ ଆମେ ବାତ୍ୟାକୁ ମୁକାବିଲା କରିପାରିଛେ ବୋଲି ମୁଖମନ୍ତ୍ରୀ କହିଛନ୍ତି। ବାତ୍ୟା ଦାନା ଗତ ମଧ୍ୟରାତ୍ରିରୁ ଆଜି ସକାଳ ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ ହୋଇଛି । ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିଵା ପାଇଁ ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଆମର ଟିମ ୱାର୍କ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ବିଶେଷ କ୍ଷୟକ୍ଷତି ହୋଇନାହିଁ । ଯେଉଁ ସବୁ ଯାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ଆଜି ଅପରାହ୍ନ ଗୋଟେ ସୁଦ୍ଧା ସେ ସବୁ କ୍ଲିୟର କରାଯିବା ସହିତ Power restoration ଆଜି ସନ୍ଧ୍ୟା ସୁଦ୍ଧା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅନ୍ୟପଟେ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି। ଆଜି ସକାଳ ୯ଟା ସମୟରେ ପ୍ରଥମ ବିମାନ ଅବତରଣ କରିବ। ଟେଲିଫୋନ ସେବା ସ୍ୱାଭାବିକ ଅଛି। ସ୍ୱାସ୍ଥ୍ୟ ସେବା ମଧ୍ୟ ସ୍ୱାଭାବିକ ଭାବେ ଯାରି ରହିଛି । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳା ମାନଙ୍କ ମଧ୍ୟରୁ ୧୬ ଶହ ଶିଶୁ ଜନ୍ମ ହୋଇଛନ୍ତି । ଉଭୟ ମା ଓ ଶିଶୁ ସୁସ୍ଥ ଅଛନ୍ତି । ମହାପ୍ରଭୁଙ୍କ କୃପାରୁ ଆମେ ସମସ୍ତେ ଏହି ବାତ୍ୟାକୁ ସଫଳ ଭାବେ ମୁକାବିଲା କରିପାରିଲେ । ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଜନପ୍ରତିନିଧି, ଡାକ୍ତରୀ ଦଳ, ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଧନ୍ୟବାଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।