thelifelinemedia
Latest Odisha News, Breaking News Today

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମ୍ପର୍କିତ ପ୍ରସ୍ତୁତି ବୈଠକ:କେହି ଭୟଭୀତ ନହେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ସମସ୍ତ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରି ବିପଦଶଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଶତପ୍ରତିଶତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‌ରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଅକ୍ଟୋବର ୨୪ ତାରିଖ ସକାଳ ସୁଦ୍ଧା ପୁରୀ ଓ ସାଗାରଦ୍ବୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଅଛି। ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି।

ବୈଠକ ପରେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ପାଇଁ କେହି ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ଅଗ୍ନୀଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ସମସ୍ତେ ପ୍ରସ୍ତୁତ ଅଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ, ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକୀୟ ଖାଦ୍ୟ ପଦାର୍ଥ, ପିଇବା ପାଣି, ଆବଶ୍ୟକୀୟ ଔଷଧ, ଶିଶୁ ଖାଦ୍ୟ ତୁରନ୍ତ ମହଜୁଦ ରଖିବା ସହିତ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବାତ୍ୟାର ତୁରନ୍ତ ପରେ ବିଭିନ୍ନ ରାସ୍ତା ଘାଟରେ ଅବରୋଧ ଦୂର କରି ଯେପରି ବିଦ୍ୟୁତ, ପାଣି ଓ ଟେଲି ଯୋଗାଯୋଗ ପରି ମୌଳିକ ସେବା ତୁରନ୍ତ କାର୍ଯ୍ୟକ୍ଷମ ହେବ, ସେଥିପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଥିଲେ। ଡାକ୍ତରଖାନା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ସମୟରେ ଏବଂ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଦର ବୃଦ୍ଧି ନହୁଏ, ସେଥିପାଇଁ କଳାବଜାରୀଙ୍କ ଉପରେ ନଜର ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ବିଭିନ୍ନ ଜିଲ୍ଲା ମଧ୍ୟରେ ସମନ୍ୱୟ ରଖି ପ୍ରଭାବିତ ନ ହୋଇଥିବା ଅଞ୍ଚଳରୁ ଯେପରି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି କୃଷି ବିଭାଗକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବାତ୍ୟା ପରେ କ୍ଷୟକ୍ଷତିର ଆଗୁଆ ଆକଳନ କରିବା ଆବଶ୍ୟକ। ଏହା ସହିତ ବିଭାଗର ‘Contingency Plan’ କୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ସେହିପରି ଆଗୁଆ ରବି ଚାଷ ପାଇଁ ସମସ୍ତ ପ୍ରକାର inputs ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଚାଷୀଙ୍କୁ ପ୍ରଦାନ କରାଯିବା ଉଚିତ ବୋଲି ସେ କହିଥିଲେ।

Leave A Reply

Your email address will not be published.