ବାତ୍ୟା ଦାନା ଆଣୁଛି ବଡ଼ ବର୍ଷା: ୨୩ରୁ ବଢିବ ବର୍ଷା, ୨୪ ଓ ୨୫ ଦୁଇ ଦିନ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର:ବାତ୍ୟା ଦାନା ବଡ ବର୍ଷା ଆଣୁଛି। ରାଜ୍ୟରେ ୨୩ରୁ ବର୍ଷା ହେବ। ୨୪ ଏବଂ ୨୫ ତାରିଖ ଏହି ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ଉତ୍ତର ଓଡିଶାର ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହେବେ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,ଗୋଟିଏ ୱେଲମାର୍କ ଲୋକେସେନ ଅଞ୍ଚଳ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ୨୨ ତାରିଖ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ୨୩ ତାରିଖ ସକାଳୁ ଘୂର୍ଣ୍ଣିବାତ୍ୟା ଓ ୨୪ ତାରିଖ ସକାଳୁ ଏହା ପ୍ରବଳ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ପ୍ରବଳ ଘୂର୍ଣ୍ଣିବାତ୍ୟା ହିସାବରେ ଓଡ଼ିଶା-ପଶ୍ଚିମବଙ୍ଗର ଉପୂକଳ ଦେଇ ଏହା ଅତିକ୍ରମ କରିବାର ପୂର୍ବାନୁମାନ କରାଯାଇଛି। ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ମଧ୍ୟରେ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।
ବାତ୍ୟା ଯେତେବେଳେ ଉପକୂଳ ଅତିକ୍ରମ କରିବ, ସେହି ସମୟରେ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୨୦ କିମି ରହିବ। ଓଡ଼ିଶାର ଉପକୂଳରେ ୨୩ତାରିଖ ସନ୍ଧ୍ୟା ପରଠାରୁ ପବନର ବେଗ ଘଣ୍ଟା ପିଛା ୪୦ରୁ ୫୦ କିମି ରହିବ। ଏହା ଧୀରେଧୀରେ ବଢ଼ି ୨୪ ତାରିଖ ସକାଳ ଠାରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୧୨୦ କିମି ପର୍ଯ୍ୟନ୍ତ ହୋଇପାରେ। ୨୩ ତାରିଖରେ ସାମାନ୍ୟ ବର୍ଷା ହୋଇପାରେ। କିନ୍ତୁ ୨୪ ଓ ୨୫ ତାରିଖରେ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ବର୍ଷା ହେବାର ଆଶଙ୍କା ରହିଛି।