ଡ୍ୟୁଟି ସମୟରେ ପୁଲିସ୍ ବର୍ଦ୍ଦି ବାଧ୍ୟତାମୂଳକ

ଭୁବନେଶ୍ୱର : ଡ୍ୟୁଟି ବେଳେ ବର୍ଦ୍ଦି ପିନ୍ଧିବା ପୁଲିସ୍ ପାଇଁ ବାଧ୍ୟତାମୂଳକ। ଏହାର ଅନୁପାଳନ ଯେପରି କଡ଼ାକଡ଼ି ହେବ, ସେନେଇ ସବୁ ଜିଲ୍ଲାର ଏସ୍ପି, ଡିସିପି ଏବଂ ରେଞ୍ଜ ଡିଆଇଜିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପୁଲିସ୍ ଡିଜି ୱାଇ.ବି ଖୁରାନିଆ। ଏସ୍ପିମାନେ ସମସ୍ତ ଥାନାକୁ ଡ୍ୟୁଟି ସମୟରେ ପୋଷାକ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦେବେ। ଯେଉଁମାନେ ପୋଷାକ ନ ପିନ୍ଧିବେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଡ୍ୟୁଟି ସମୟରେ ଭରତପୁର ଥାନାରେ ଜଣେ ମହିଳା ପୁଲିସ୍ ଅଫିସର୍ ନାଇଟ୍ ପିନ୍ଧିଥିବା ନେଇ ମେଜର୍ଙ୍କ ବାନ୍ଧବୀ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବିବାଦ ବଢ଼ିବାରୁ ଡିଜି ଶ୍ରୀ ଖୁରାନିଆ ଏହାକୁ ଗୁରୁତ୍ବର ସହ ନେଇ ଏପରି ନିର୍ଦ୍ଦେଶନାମା ଦେଇଛନ୍ତି। ଅନେକ ପୁଲିସ୍ କର୍ମଚାରୀ ବର୍ଦ୍ଦି ପିନ୍ଧିବାକୁ ପସନ୍ଦ କରୁନାହାନ୍ତି।
ଅଧିକ ଗରମ ହେବା ସହ ଥାନାରେ ବହୁ ସମୟ କାର୍ଯ୍ୟ କରୁଥିବାରୁ ବର୍ଦ୍ଦି ପିନ୍ଧି ରହିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି ବୋଲି ଅନେକ ପୁଲିସ କର୍ମଚାରୀ କହିଛନ୍ତି। କିନ୍ତୁ ଏଥୁଯୋଗୁଁ ଥାନାକୁ ଆସୁଥିବା ଅଭିଯୋଗକାରୀ ନାନା ହଇରାଣ ହରକତ ହେଉଛନ୍ତି। ଥାନାରେ ଡିସିଓ କିଏ ସେମାନେ ଜାଣିପାରୁନାହାନ୍ତି। ଡିସିଓ ଚେୟାରରେ ବସିଥିବା ଅଫିସର ବର୍ଦ୍ଦି ପିନ୍ଧି ନଥିବାରୁ ଏଭଳି ସମସ୍ୟା ହେଉଛି।