ରାଜ୍ୟରେ ବଢ଼ିବ ଶୀତ: ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବାର ସମ୍ଭାବନା
ଶୀତ ବଢ଼ିବା ସହିତ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେଇପାରେ। ଡିସେମ୍ବରରୁ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି।
ଭୁବନେଶ୍ୱର: ଓଡ଼ିଶାରେ ଆଜିଠାରୁ ଧୀରେ ଧୀରେ ଶୀତ ବଢ଼ିବା ଆରମ୍ଭ ହୋଇଛି ଏବଂ ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।ରାଜ୍ୟରେ ଆଗାମୀ କିଛି ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୧୫ ଡିଗ୍ରୀ ତଳକୁ ଖସିପାରେ। ଆଗାମୀ ଦିନରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇବ। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଝାରସୁଗୁଡ଼ାରେ ତାପମାତ୍ରା ୧୩.୬ରୁ ୧୪.୫ ଡିଗ୍ରୀ ମଧ୍ୟରେ ରହିଛି, ରାଉରକେଲାରେ ୧୫.୭ ଡିଗ୍ରୀ, ହୀରାକୁଦରେ ୧୬ ଡିଗ୍ରୀ, ସମ୍ବଲପୁରରେ ୧୬.୨ ଡିଗ୍ରୀ, କେନ୍ଦୁଝରରେ ୧୬.୬ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୧୭.୪ରୁ ୧୮.୫ ଡିଗ୍ରୀ ସେଲସିୟସ୍ ଆଖପାଖରେ ରେକର୍ଡ କରାଯାଇଛି।
ଶୀତ ବଢ଼ିବା ସହିତ ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେଇପାରେ। ଡିସେମ୍ବରରୁ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି।ଅନ୍ୟପଟେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ହଳଦିଆ ସତର୍କତା ଜାରି ହୋଇଛି। ଏହି ଅଞ୍ଚଳଗୁଡ଼ିକରେ ଦୃଶ୍ୟମାନ କ୍ଷମତା ୫୦ରୁ ୨୦୦ ମିଟର ପର୍ଯ୍ୟନ୍ତ ହ୍ରାସ ପାଇପାରେ।