thelifelinemedia
Latest Odisha News, Breaking News Today

ଭରତପୁର ଥାନା ଘଟଣା: ନବୀନଙ୍କ ଦାବିକୁ ମାନିନେଲେ ରାଜ୍ୟ ସରକାର, ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ 

ଭୁବନେଶ୍ୱର: ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଏହି ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଛି। ଏହା ସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି ଏବଂ ବିଶେଷ ଭାବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲା ବେଳେ ସରକାର ତାହାକୁ ମାନି ନେଇଛନ୍ତି। ତେଣୁ ଏହି ଘଟଣାରେ ବିରୋଧୀ ଦଳଗୁଡ଼ିକର ପରବର୍ତ୍ତୀ ପଦକ୍ଷେପ ‌କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।କେନ୍ଦୁଝର ଗସ୍ତରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଆଡ୍‌ଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ ଏହି ବୈଠକରେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.