କେନ୍ଦ୍ର ସରକାରଙ୍କ ୧୦୦ ଦିନର ରିପୋର୍ଟ : ଗୋଟି ଗୋଟି ହିସାବ ରଖିଲା ବିଜେପି

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶହେ ଦିନର ଉପଲବ୍ଧିର ରିପୋର୍ଟ ଦେଲା ବିଜେପି। ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଟି ପ୍ରତିଶ୍ରୁତି ପାଳନ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଗୋଟି ଗୋଟି ହିସାବ ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ।ଦେଶରେ ବିଜେପି ଏନଡିଏ ନେତୃତ୍ବ ସରକାରର ତୃତୀୟ ପାଲିର ୧୦୦ ଦିନ ପୂରଣ ହୋଇଛି। ଓଡ଼ିଶାରେ ସରକାରଙ୍କ ୧୦୦ ଦିନ ଆସନ୍ତା କାଲି ହେବ। ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରର ୧୦୦ ଦିନ ପୁରିବା ପୂର୍ବରୁ ନିଜ ଜନ୍ମଦିନ ପାଳନ କରିଥିଲେ। ବିଜେପି ସରକାର ହେବା ଦିନ ଠାରୁ ପ୍ରତି ବର୍ଷ ରିପୋର୍ଟ କାର୍ଡ ଦେଇଥାଉ । ୧୦ ବର୍ଷ ରିପୋର୍ଟ କାର୍ଡ ପ୍ରଧାନମନ୍ତ୍ରୀ ଦେଇଛନ୍ତି। ଦେଶବାସୀଙ୍କ ଆଶୀର୍ବାଦ କାରଣରୁ ନରେନ୍ଦ୍ର ମୋଦୀ ତୃତୀୟ ଥର ଲଗାତାର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗୋଟିଏ ସାଧାରଣ ପରିବାରରୁ ଆସିଥିବା ଜଣେ ଅସାଧାରଣ ବ୍ୟକ୍ତିତ୍ଵ ନରେନ୍ଦ୍ର ମୋଦୀ । ସମଗ୍ର ବିଶ୍ବ ଯାହାଙ୍କୁ ନେତା ବୋଲି ଗ୍ରହଣ କରିଛି । ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ। ସଂକଳ୍ପ ପତ୍ରରେ କହିଥିଲୁ, ଲକ୍ଷପତି ଦିଦି କରିବୁ । ୩ କୋଟି ପିଏମ ଆବାସ ଦେବାର ପ୍ରକ୍ରିୟା ଚାଲିଛି । ୧୧ ଲକ୍ଷ ଲକ୍ଷପତି ଦିଦି ହେଲେଣି। ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଭିତ୍ତିଭୂମି ପ୍ରତିଷ୍ଠାରେ ବିନିଯୋଗ କରାଯାଇଛି । ରେଳବାଇରେ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହୋଇଛି। ବନ୍ଦେ ଭାରତ ଟ୍ରେନ ଠାରୁ ଆରମ୍ଭ କରି ବିଭିନା ସ୍ଥାନକୁ ରେଳ ସଂଯୋଗ କରାଯାଇଛି। ଦେଶରେ ଆର୍ଥିକ ସ୍ଥିତି ଅଭିବୃଦ୍ଧି କରିବା ପାଇଁ ବିକଶିତ ଭାରତ ଗଠନ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ପ୍ରଧାନମନ୍ତ୍ରୀ। ସବୁ ଘରକୁ ବିଜୁଳି, ଗ୍ୟାସ, ମୌଳିକ ସୁବିଧା ଯୋଗାଇବା ପାଇଁ ୧୦୦ ଦିନ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ କେନ୍ଦ୍ର ମୋଦି ସରକାର ହାତକୁ ନେଇଛନ୍ତି। ବିଶ୍ଵକର୍ମା ଯୋଜନା କାର୍ଯ୍ୟକାରୀ ହୋଇଛି। ୨ ଲକ୍ଷ କୋଟିର ପ୍ୟାକେଜ ଯୁବକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ୧ କୋଟି ଯୁବକଙ୍କୁ ଶିଳ୍ପରେ ନିୟୋଜିତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଚାଷୀଙ୍କୁ ୧୭ଟି କିସ୍ତି ଦିଆସାରିଲାଣି । ୧୩୧୦ ଟଙ୍କା ରୁ ୨୩୦୦ ଟଙ୍କାରେ ପହଞ୍ଚିଲାଣି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଆୟକରରେ ରିହାତି ଏକ ଯୁଗାନ୍ତକାରୀ ପଦକ୍ଷେପ। ଆୟୁଷ୍ମାନ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ଦିଆଯାଉଛି । ୭୦ ବର୍ଷରୁ ବ୍ୟୟସ୍କଙ୍କ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସରକାର ତୁଲାଇବା ପାଇଁ ଦାୟିତ୍ଵ ନେଇଛନ୍ତି। ବିପର୍ଯ୍ୟୟ ପ୍ରସମନ ବିଭାଗ ପାଇଁ ୧୨ ହାଜର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଓଡ଼ିଶାରେ ଜାତୀୟ ରାଜପଥ ବିକାଶ ପାଇଁ ବ୍ୟାପକ ଅନୁଦାନ ମିଳିଛି । ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ଟଙ୍କା କେନ୍ଦ୍ର ସରକାର ଦେବେ । ଓଡ଼ିଶାରେ ସମଗ୍ର ବିଶ୍ବରେ ଟୁରିଷ୍ଟ ପଏଣ୍ଟ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେବେ। ରେଳ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ନିରନ୍ତର ସହାୟତା ଯୋଗାଇ ଦେଉଛନ୍ତି। ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିଛି, ରତ୍ନଭଣ୍ଡାର ଖୋଲିଛି, ଶ୍ରୀମନ୍ଦିର ବିକାଶ ପାଇଁ 200 କୋଟି ଟଙ୍କାର କର୍ପସ ଫଣ୍ଡ ହୋଇଛି। ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବଢିଛି, ଚାଷୀଙ୍କୁ ୩୧୦୦ ଟଙ୍କା ଧାନର ଏମଏସପି ମିଳିବାର ପ୍ରତିଶ୍ରୁତି ପାଳନ ହୋଇଛି। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ। ୨୫ ଲକ୍ଷ ମହିଳାଙ୍କୁ ୧୨୫୦କୋଟି ଟଙ୍କା ସୁଭଦ୍ରା ଯୋଜନାରେ ଦେଇଛନ୍ତି । ସରକାର ଗଠନର ୧୦୦ ଦିନ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି ।