thelifelinemedia
Latest Odisha News, Breaking News Today

ରତ୍ନଭଣ୍ଡାରର ହେବ ବୈଷୟିକ ଯାଞ୍ଚ: ୨୬ଜଣିଆ ଏଏସଆଇ ଟିମ କରିବେ ନିରୀକ୍ଷଣ 

ପୁରୀ: ଆଜି ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷିଣ ଓ ବୈଷୟିକ ଯାଞ୍ଚ ହେବ।ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ସହିତ ବୈଷୟିକ ଯାଂଚ ଅନୁଷ୍ଠିତ ହେବ । ରତ୍ନ ଭଣ୍ଡାର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ସେ ନେଇ ପରଦା ହଟିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହେବ l ତେଣୁ ଆଜି ପାଇଁ ଶ୍ରୀଜୀଉଙ୍କ ନୀତିକାନ୍ତି ବା ସେବାପୂଜାରେ ବ୍ୟାଘାତ ନକରି ନିରୀକ୍ଷଣ ପ୍ରକ୍ରିୟା ପାଇଁ ଆବଶ୍ୟକ ସମୟ ଦେବା ଲାଗି ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଜିର ନିରୀକ୍ଷଣରେ ଏଥିରେ ASI ଏବଂ ଶ୍ରୀମନ୍ଦିର ପ୍ରଶାସନର ୨୬ ଜଣିଆ ମିଳିତ ଟିମ୍ ସାମିଲ ହେବେ । ଏଥିସହିତ ରତ୍ନଭଣ୍ଡାର ମଧ୍ୟରେ ବୈଜ୍ଞାନିକ ସର୍ବେକ୍ଷଣ କରିବାକୁ ବିଭିନ୍ନ ଯନ୍ତ୍ରପାତି ନେବାକୁ ASIକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ପ୍ରଥମତଃ ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ସକାଶେ ବ୍ୟବହାର କରାଯିବ, ଏହା କୌଣସି ମିଡିଆ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ ହେବ ନାହିଁ । ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ଯବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତ ରଖାଯାଇଛି ।

ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ତଥା ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି। ତାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା। ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇ କୁ ଅନୁରୋଧ କରାଯାଇଥିଲା। ପୂର୍ଣାଂଗ ଅତ୍ଯାଧୁନିକ ତଥା ବୈଷୟିକ ଯାଂଚ ପରେ ଏ.ଏସ୍.ଆଇ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ଯ ପ୍ରଶାସକ, ଡ. ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.