ଗୁରୁଦିବସରେ ଗୁରୁଙ୍କୁ ବଡ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୁରୁ ଦିବସରେ ଗୁରୁମାନଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଗାମୀ ୩ ସପ୍ତାହ ଭିତରେ ୧୬ହଜାର ୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି। ରାଜ୍ୟରେ ଶିକ୍ଷକ ଅଭାବ ପୂରଣ ପାଇଁ ୨୭ ହଜାର ୧୯୭ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେବେ ମୋହନ ସରକାର। ପ୍ରତି ପଞ୍ଚାୟତରେ ହେବ ଗୋଟିଏ ଗୋଟିଏ ମଡେଲ ସ୍କୁଲ। ତାର ନାଁ ଦିଆଯିବ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ” । ହାଇସ୍କୁଲ ଯିବା ପୂର୍ବରୁ ପ୍ରାଥମିକ ଶିକ୍ଷାରେ ନିପୁଣ ହେବା ପାଇଁ ଏଭଳି ଏକ ନୂତନ ପ୍ରୟାସ କରାଯାଇଥିବା କହିଛନ୍ତି ମୋହନ ।
ଆଜି ରାଜ୍ୟ ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪ ଆୟୋଜନ ହୋଇଥିଲା। ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ନୂଆ ଯୋଜନାର ଘୋଷଣା କରିଛନ୍ତି। ଛାତ୍ର ଛାତ୍ରୀଙ୍କ ପାଇଁ ନୂଆ ୱେବ ସାଇଟ ସହ ବିଭିନ୍ନ ପୋର୍ଟାଲ ଏବଂ ପୁସ୍ତକର ହୋଇଛି ଉନ୍ମୋଚନ। “ନିପୁଣ ଓଡିଶା ” ଲୋଗୋ ସହ ଥିମ ଗୀତ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶିକ୍ଷା ଜ୍ୟୋତି ପୋର୍ଟାଲ, କ୍ୟାରିୟର କାଉନସେଲିଂ ୱେବ ସାଇଟ, ପ୍ରାଇଭେଟ ସ୍କୁଲ ମ୍ୟାନେଜମେଣ୍ଟ ପୋର୍ଟାଲ ମଧ୍ୟ ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୪୪ଜଣ ଛାତ୍ର ଛାତ୍ରୀ ଆଜି ପୁରସ୍କୃତ ହୋଇଛନ୍ତି। ଯେଉଁମାନଙ୍କ ଉଦେଶ୍ୟରେ ଆଜି ଏକ ପୁସ୍ତକ ଉନ୍ମୋଚିତ ହୋଇଛି ଯାହାର ନା ରଖାଯାଇଛି ସଫଳତାର ଶୀର୍ଷରେ ଆମ ପ୍ରତିଭା। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ଉଭୟ ବିଭାଗର ସଚିବ ମଧ୍ୟ ଉପସ୍ଥିତ ରହିଥିଲେ।