ରାଜ୍ୟରେ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ: ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର: ରେମୁଣା , ଭୁବନେଶ୍ୱର,ପାଟଣା ଓ ସମ୍ବଲପୁରରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସରକାରଙ୍କ ମାନସିକତା ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ୨୪ ବର୍ଷର ବିଜେଡି ସରକାରର ନା ଜପିଜପି ୫ବର୍ଷ ପଳାଇବ। ବିଜେଡି ସରକାର ଅମଳରେ ଘଟଣାକୁ ଚପାଇ ଦିଆଯାଉ ନଥିଲା। ମାମଲା ସଂଖ୍ୟା ବଢୁଥିଲା ସତ କିନ୍ତୁ ପୋଲିସ ଉପରେ ଭରଷା ଥିଲା। ଏବେ ସରକାର ଏ ଦିଗରେ କିଛି କରୁନାହାନ୍ତି। କାହାକୁ ସୁରକ୍ଷା ଦେଇ ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ କାହିଁକି ନୀରବ ବୋଲି ସେ କହିଛନ୍ତି।ଏ ଦିଗରେ ସେ ବିବୃତି ରଖନ୍ତୁ ବୋଲି ବିଜେଡି ଦାବି କରିଛି।
ଅନ୍ୟପଟେ ଭୁବନେଶ୍ୱର, ବାଲେଶ୍ଵର ଏବଂ ସମ୍ବଲପୁର ଘଟଣାରେ ଏତଲା ହେବା କ୍ଷଣି ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯାଇଛି। କିନ୍ତୁ ତତ୍କାଳୀନ ସରକାର ଅଭିଯୁକ୍ତକୁ ସୁରକ୍ଷା ଦେଉଥିଲା କୁନ୍ଦୁଲି, ମମିତା, ବେବିନା, ମାଧବିଲତା ପରି ଭଳି ଘଟଣା ଉଥାପନ କରି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ବିଜେପି ବିଧାୟକ। କ୍ୟାବିନେଟ ମନ୍ତ୍ରୀଙ୍କୁ ସୁରକ୍ଷା ନ ଦେଇ ପାରିବା କଥା କହି ବିଜେଡିକୁ ତାତ୍ସଲ୍ୟ କରିଥିଲେ ଟଙ୍କଧର। ଆଜି ବିଜେଡି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଲେ ସାଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଅପରାଧୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି ସରକାର। ଦୁଷ୍ଠାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉଛି। ଆଇନ ସମସ୍ତଙ୍କ ଉର୍ଦ୍ଧରେ। ଏହି ଚାରୋଟି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ତୁରନ୍ତ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ଜାରି ରହିଛି ବୋଲି ବିଜେପି କହିଛି।