ନୀଳାଚଳ ହସ୍ପିଟାଲର ଲାଞ୍ଚୁଆ ସିକ୍ୟୁରିଟି ଗାର୍ଡ: ରୋଗୀଙ୍କ ଠାରୁ ଲୁଟୁଛନ୍ତି ଟଙ୍କା, ପୃଷ୍ଠପୋଷାକ ସାଜିଛି ହସ୍ପିଟାଲ

ଲାଇଫ ଲାଇନ: ସୁରକ୍ଷା ନାଁରେ ଟଙ୍କା ଲୁଟୁଛନ୍ତି ସିକ୍ୟୁରିଟି ଗାର୍ଡ । ସେବା ଦେବା ଆଳରେ ଲୋକଙ୍କ ଠାରୁ ଲୁଟୁଛନ୍ତି ପୁଳା ପୁଳା ଟଙ୍କା। ନୀଳାଚଳ ହସ୍ପିଟାଲରେ କିଛି ଏଭଳି ସିକ୍ୟୁରିଟି ଗାର୍ଡଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଦଲାଲ ସିକ୍ୟୁରିଟି ଗାର୍ଡଙ୍କ ଜାଲରେ ପଡି ଟଙ୍କା ଗଣୁଛନ୍ତି। ହସ୍ପିଟାଲର ପ୍ରବେଶରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁଠି ଏମିତି ଲାଞ୍ଚୁଆ ସିକ୍ୟୁରିଟି ଗାର୍ଡ ମାଳ ମାଳ ହୋଇ ବୁଲୁଛନ୍ତି। ରୋଗୀଟିଏ ଆସିଲେ ପ୍ରଥମେ ସିକ୍ୟୁରିଟି ଗାର୍ଡ ହାବୁଡ଼ରେ ପଡୁଛନ୍ତି। କେଉଁ ବିଭାଗ ଯିବେ… କେଉଁଠିକୁ ଯିବେ.. ବ୍ଲଡ଼ ପରୀକ୍ଷା କରିବେ ନା ଅଲଟ୍ରାସାଉଣ୍ଡ ??.. କିଛି ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଅଛି ସବୁ ସୁବିଧା କରିଦେବି.. କିନ୍ତୁ ଏଥିପାଇଁ ଟଙ୍କା ଦେବାକୁ ପଡିବ। ରୋଗୀ ଓ ସମ୍ପର୍କୀୟଙ୍କୁ କିଛି ଏହିଭଳି କଥା କହି ସେମାନଙ୍କ ଠାରୁ ପୁଳା ପୁଳା ଟଙ୍କା ନେଉଛନ୍ତି ଏଇ ସିକ୍ୟୁରିଟ ଗାର୍ଡ। ଫୋଟୋରେ ଦେଖୁଥିବା ଇଏ ସେହି ସିକ୍ୟୁରିଟି ଗାର୍ଡ ଯିଏ ଲୋକଙ୍କୁ ଶୋଷଣ କରୁଛି। ସେବା ଓ ସୁରକ୍ଷା ଆଳରେ ଲୋକଙ୍କ ଠାରୁ ହାତଗୁଂଜା ନେଉଛି। ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଚୁନା ମାରିବାରେ ଏହି ସିକ୍ୟୁରିଟି ଗାର୍ଡ ବେଶ ପାରଙ୍ଗମ। ଯେତେବେଳେ ରୋଗୀ ସମ୍ପର୍କୀୟ ଯଦି ଟଙ୍କା ଦେବାକୁ ମନା କରନ୍ତି ସେତେବେଳେ ଚୋର ମୁହଁ ଟାଣ ଭଳି ଏ ସିକ୍ୟୁରିଟି ଗାର୍ଡ ଟଙ୍କା ନ ଦେଲେ କିଛି ହେଇ ପାରିବନି ବୋଲି କୁହନ୍ତି। ଯେଉଁ ରୋଗୀମାନେ ଦୂରରୁ ଆସନ୍ତି ସେମାନଙ୍କୁ ଟାର୍ଗେଟ କରିଥାଏ ଏହି ସିକ୍ୟୁରିଟି ଗାର୍ଡ। କେବଳ ଏହି ଜଣଙ୍କ ନୁହେଁ ହସ୍ପିଟାଲରେ ଥିବା ଅନ୍ୟ ସିକ୍ୟୁରିଟି ବି ଏମିତି ଲାଞ୍ଚ ନେବାରେ ମାହିର। ସିକ୍ୟୁରିଟି ଗାର୍ଡଙ୍କ ଏଭଳି ଦଲାଲଗିରିକୁ ପ୍ରଶୟ ଦେଉଛି ହସ୍ପିଟାଲ। ସବୁ ଜାଣିଶୁଣି ଚୁପଚାପ ରହୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଲାଗୁଛି ଯେମିତି ଲାଞ୍ଚୁଆ ସିକ୍ୟୁରିଟି ଗାର୍ଡଙ୍କ ପୃଷ୍ଠପୋଷାକତା ସାଜିଛି ନୀଳାଚଳ ହସ୍ପିଟାଲ।