ସଡ଼କ ଦୁର୍ଘଟଣାକୁ ନେଇ ଏନସିଆରବି ରିପୋର୍ଟ, ମୃତକଙ୍କ ମଧ୍ୟରେ ଅଧିକ ଦୁଇ ଚକିଆ ଗାଡି ଚାଳକ

ନୂଆଦିଲ୍ଲୀ: ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ଦୁଇ ଚକିଆ ବାହାନ ଚାଳକଙ୍କ ଅଧିକ ଜୀବନ ଯାଇଛି । ଗୋଟିଏ ବର୍ଷରେ ପ୍ରାୟ ୭୦,୦୦୦ ହଜାର ଦୁଇ ଚକିଆ ଚାଳକ ଏବଂ ଆରୋହୀଙ୍କ ମୃତ୍ୟୁ ହୋଇଛି । ଏନସିଆରବିର ସଦ୍ୟ ରିପୋର୍ଟରେ ଏହି ଖବର ସାମନାକୁ ଆସିଛି । ଏହାସହ ୨୦୨୧ ମସିହାରେ ସଡକ ଦୁର୍ଘଟଣାରେ ୧,୫୫,୬୨୨ ଜଣଙ୍କ ଜୀବନ ଯାଇଛି ।
ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୧ ମସିହାରେ ସଡ଼କ ଦୁର୍ଘଟଣାରେ ଦୁଇ ଚକିଆ ଗାଡି ଦୁର୍ଘଟଣାରେ ମୋଟ ୬୯,୨୪୦ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ବର୍ଷର ମୋଟ ସଡ଼କ ଦୁର୍ଘଟଣାର ୪୪.୫ ପ୍ରତିଶତ । ସେହିପରି କାର ଦୁର୍ଘଟଣାରେ ୨୩,୫୩୧ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଦୁର୍ଘଟଣାର ୧୫.୧ ପ୍ରତିଶତ । ଟ୍ରକ ଏବଂ ଲରି ଦୁର୍ଘଟଣା ଯୋଗୁଁ ୧୪,୬୨୨ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ମୋଟ ଦୁର୍ଘଟଣାର ୯.୪ ପ୍ରତିଶତ।
ଦୁଇ ଚକିଆ ଗାଡି ଦୁର୍ଘଟଣାରେ ତାମିଲନାଡୁରେ ସବୁଠୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହା ପଛକୁ ଉତ୍ତର ପ୍ରଦେଶ ରହିଛି । ତାମିଲନାଡୁରେ ମୋଟ ୮,୨୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ମୋଟ ୭,୪୨୯ ଜଣଙ୍କ ମୃତ୍ୟୁ ହୋଇଛି।