ଗିରଫ ହେଲେ ଖଣି ଅଧିକାରୀ ଧରଣୀଧର ନାୟକ : ଠାବ ହୋଇଥିଲା ଅମାପ ଆୟ ବହିର୍ଭୁତ ସମ୍ପତ୍ତି

ଅନୁଗୁଳ : ଗିରଫ ହେଲେ ଖଣି ଉପ ନିର୍ଦ୍ଧେଶକ ଧରଣୀଧର ନାୟକ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଉ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ଗତକାଲି ତାଙ୍କ ଘରେ ଓ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢାଉ ବେଳେ ଖଣି ଅଫିସରଙ୍କ ଘରୁ ଟଙ୍କା ଖଣି ଖୋଜି ପାଇଛି ଭିଜିଲାନ୍ସ ଟିମ୍। ଏବେ ସୁଦ୍ଧା ଭୁବନେଶ୍ବର ସୁରେଖା ଅର୍ଚିଡ ଆପାର୍ଟମେଣ୍ଟ ଘରୁ ପୁଳା ପୁଳା ଟଙ୍କା ଦାମୀ ଘଂଟା, ସୁନା ଅଳଙ୍କାର ରୁପା ସାମଗ୍ରୀ ଜବତ ହୋଇଛି । ଏହି ଘରେ ଧରଣୀଧର ରହୁଥିବା ବେଳେ ଏହି ଘରର ମୂଲ୍ୟ ପାଖାପାଖି ୧ କୋଟି ୫୦ ଲକ୍ଷ ଟଙ୍କା ହେବ ସେହିଭଳି ସୁନ୍ଦରପଦାରେ ଦୁଇମହଲା କୋଠା ଯାହାର ମୂଲ୍ୟ ୫୫ ଲକ୍ଷ ଟଙ୍କା । କେନ୍ଦୁଝର ତେଲକୋଇରେ ୩ ଟି ମାର୍କେଟ କମ୍ପ୍ଲେକ୍ସ ୨ ଟି ଦୁଇମହଲା ବିଶିଷ୍ଟ ଓ ଗୋଟିଏ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ ବିଭାଗ । କେନ୍ଦୁଝର, ଅନୁଗୁଳ, ଭୁବନେଶ୍ବର, କଟକରେ ଏକାଧିକ ପ୍ଲଟ ମଧ୍ୟ ରହିଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ ବାବୁଙ୍କର ବ୍ୟାଙ୍କ ଜମା ୧୦ ଲକ୍ଷ ଟଙ୍କା ଥିବା ବେଳେ ୧୬ ଲକ୍ଷ ଟଙ୍କା ଫିକ୍ସ ଡିପୋଜିଟ ରହିଛି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାର ସହନ ଶୀଳତା ଆଭିମୁଖ୍ୟ ଦେଖାଇ ଆସୁଛନ୍ତି। ବିଗତ କିଛି ଦିନ ହେଲା ଦୁର୍ନୀତି ଗ୍ରସ୍ତ ଓ ଲାଞ୍ଚୁଆ ଅଧିକାରୀଙ୍କୁ ଧରୁଛି ଭିଜିଲାନ୍ସ।