ବିଜେପିରେ ମିଶିଲେ ଚମ୍ପାଇ ସୋରେନ

ନୂଆଦିଲ୍ଲୀ: ବିଜେପିରେ ସାମିଲ ହେଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍। ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ ପଦ୍ମ ପୋଖରୀରେ ବୁଡ ପକାଇଛନ୍ତି ଚମ୍ପାଇ ସୋରେନ। ରାଞ୍ଚିରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପାଇ ବିଜେପିରେ ସାମିଲ ହେବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ପାଇଁ ଏହା ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।
ଚମ୍ପାଇ ସୋରେନଙ୍କୁ ଜେଏମଏମ ଛାଡ଼ିବା ପରେ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ଦିଲ୍ଲୀରେ ବିଜେପି ନେତାଙ୍କ ସହିତ ସେ ଯୋଗାଯୋଗରେ ଥିଲେ। ଏବେ ସେ ଵିଧି ବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ତାଙ୍କର ମତଭେଦ ପରେ ଜେଏମଏମ ଛାଡ଼ିଥିଲେ ଚମ୍ପାଇ ସୋରେନ। ହେମନ୍ତ ସୋରେନ ଜେଲ ଯିବା ପରେ ଚମ୍ପାଇ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଜେଲରୁ ଆସିବା ପରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ। ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାପରେ ଝାଡ଼ଖଣ୍ଡରେ ଆରମ୍ଭ ହୋଇଥିଲା ରାଜନୈତିକ ସଙ୍କଟ। ହେମନ୍ତ ଏବଂ ଚମ୍ପାଇଙ୍କ ମଧ୍ୟରେ ମତଭେତ ସୃଷ୍ଟି ହୋଇଥିଲା। ଗତ ଅଗଷ୍ଟ ୨୮ ତାରିଖରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଇଥିଲେ ଚମ୍ପାଇ ସୋରେନ।