ରତ୍ନଭଣ୍ଡାରର ହେବ ବୈଷୟିକ ଯାଞ୍ଚ: ଏଏସଆଇକୁ ଚିଠି ଲେଖିଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ASI ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବ। ତେବେ ଏହା ପୂର୍ବରୁ ପରିଚାଳନା କମିଟିର ନିଷ୍ପତ୍ତି ପ୍ରକାରେ ଏ.ଏସ.ଆଇ ଦ୍ବାରା ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରାଯିବାକୁ ASI ଡିଜିଙ୍କୁ
ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢୀ । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିବାବେଳେ ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ପଷ୍ଟ ଭାବେ ପତ୍ରରେ ଉଲ୍ଲେଖ କରାଯାଇଛି। ଏଥିସହ ସାମଗ୍ରିକ ବୈଷୟିକ ସର୍ଭେ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା SOP ମଧ୍ୟ ASI ନିକଟକୁ ପଠାଯାଇଛି। ଏହି ବୈଷୟିକ ଯାଂଚ IIT ଏବଂ CBRI ଭଳି ଉଚ୍ଚମାନର ଅନୁଷ୍ଠାନ ଦ୍ବାରା କରାଯିବାକୁ ASI କୁ ପରାମର୍ଶ ଦିଆଯାଇଛି। ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଏବଂ ମରାମତି କାମ ହାତକୁ ନେବାକୁ ASIକୁ ଅନୁରୋଧ କରାଯାଇଛି, ଯାହାଫଳରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତି ମଣତି କରାଯାଇ ପୁଣି ଥରେ ମୂଳ ରତ୍ନଭଣ୍ଡାରକୁ ସେସବୁକୁ ଫେରାଇ ଅଣାଯାଇ ସୁରକ୍ଷିତ ରଖାଯିବ ବୋଲି ମୁଖ୍ଯ ପ୍ରଶାସକ ଚିଠିରେ ଅନୁରୋଧ କରିଛନ୍ତି।