ସୁଭଦ୍ରା ଯୋଜନା: କାହାକୁ ମିଳିବ ଭାଉଚର ? କେମିତି ହେବ ଆବେଦନ?

ଭୁବନେଶ୍ୱର: ସୁଭଦ୍ରା ଯୋଜନାର ଏସଓପି ଆଣିଛନ୍ତି ରାଜ୍ୟ ସରକାର। ରା଼ଜ୍ୟରେ ନୂଆ ସରକାର ଗଠନ ପରଠାରୁ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ସୁଭଦ୍ରା ଯୋଜନାକୁ ମୋହର ମାରିଛନ୍ତି ମୋହନ ସରକାର। ରାଜ୍ୟ କ୍ୟାବିନେଟ ବୈଠକ ସୁଭଦ୍ରା ଯୋଜନାର ଏସଓପିକୁ ଅନୁମୋଦନ ପ୍ରଦାନ କରିବା ପରେ ଆଜି ବିଧାନସଭାରେ ଏହାର ନିୟମାବଳୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ମହିଳାମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ। ଏଥିରେ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ। ପ୍ରାବଧାନ ଅନୁସାରେ ୨୧ ବର୍ଷ ରୁ ୬୦ ବର୍ଷରୁ କମ ବୟସ ମଧ୍ୟର ମହିଳାଙ୍କୁ ମିଳିବ ‘ସୁଭଦ୍ରା ଯୋଜନା’ ଟଙ୍କା । ଡିବିଟି ମାଧ୍ୟମରେ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ରାଜ୍ୟର ଏକ କୋଟିରୁ ଅଧିକ ମହିଳା ଏହା ଦ୍ୱାରା ଲାଭବାନ ହେବେ । ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣିମା ଓ ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ଆଉଣ୍ଟକୁ ଯିବ ୫ ହଜାର ଲେଖାଏଁ ଟଙ୍କା। ପ୍ରତି ବର୍ଷ ଦୁଇଟି ଫେଜରେ ଏହି ଟଙ୍କା ମିଳିବ।ବର୍ଷକୁ ୧୦ ହଜାର କରି ୫ ବର୍ଷରେ ମହିଳାଙ୍କ ଆକାଉଣ୍ଟକୁ ମୋଟ ୫୦ ହଜାର ଟଙ୍କା ଯିବ।
ଆର୍ଥିକ ସ୍ଥିତିରେ ମଜଭୁତ ଥିବା ମହିଳା ଏଥିରେ ସାମିଲ ହେବେନାହିଁ। ସରକାରୀ ଚାକିରୀ ଓ ଇନକମ ଟ୍ୟାକ୍ସ ଭରୁଥିବା ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ। ଯେଉଁମାନେ ମାସିକ ଭାବେ ସରକାରୀ ସୂତ୍ର ରେ ୧୫୦୦ଟଙ୍କା ବା ବାର୍ଷିକ ୧୮୦୦୦ଟଙ୍କା ପାଉଛନ୍ତି ସେମାନେ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେବେ। ସୁଭଦ୍ରା ଯୋଜନାରେ କୋଟିଏ ମହିଳା ଲାଭ ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ସରଳ ବ୍ୟବସ୍ଥା ଆଣିଛନ୍ତି ସରକାର। ବ୍ଲକ କାର୍ଯ୍ୟାଳୟ ହେଉ କି ମୋ ସେବା କେନ୍ଦ୍ର ଅବା ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ଏହି ଫର୍ମ ମିଳିବ।