ଓଡିଶାରେ ସୁନା ଖଣି

ଭୁବନେଶ୍ୱର: ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି । ରାଜ୍ୟରେ ସୁନା ଖଣିର ସନ୍ଧାନ ମିଳିଥିବା କହିଲେ ଖଣି ମନ୍ତ୍ରୀ । ବିଧାନସଭାରେ ତାରା ବାହିନୀପତିଙ୍କ ପ୍ରଶ୍ନରେ ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ଉତ୍ତରରେ ଓଡିଶାରେ ସୁନା ଖଣି ଥିବା ନେଇ ଜଣାପଡିଛି। ଦେବଗଡ଼ ଜିଲ୍ଲା ଆଡାସ-ରାମପଲ୍ଲୀ ଅଞ୍ଚଳରେ ସୁନାପଥର ସନ୍ଧାନ ମିଳିଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଜିଏସଆଇ ଦ୍ୱାରା ତମ୍ବାପଥର ଅନ୍ୱେଷଣ ବେଳେ ସୁନାର ସନ୍ଧାନ ମିଳିଛି । ଉକ୍ତ ଅଞ୍ଚଳରେ ସୁନା ଗଚ୍ଛିତ ଥିବା ଭୂତାତ୍ତ୍ୱିକ ଆକଳନରୁ ଜଣାପଡ଼ିଛି । ଏବେ ଉକ୍ତ ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଥିବା ଖଣି ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି
ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର – ଗାଜିପୁର ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ । ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚାଲିଛି ଚି଼ହ୍ନଟ ପ୍ରକ୍ରିୟା । ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଅନ୍ୱେଷଣ ଚାଲିଛି । ଖାଲି ସେତିକି ନୁହେଁ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ସୁନା ଖଣି ଥିବା ସୂଚନା ମିଳିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ଗୃହରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା ।