ଧରଣୀଧର ବିଶ୍ବବିଦ୍ୟାଳୟର ହେବ ନବକଳେବର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦୁଝର ଧରଣୀଧର ବିଶ୍ବ ବିଦ୍ୟାଳୟର ହେବ ନବକଳେବର। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ରହିଛି, ତାହା ଯଥାଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସଂପୃକ୍ତ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ଫେବୃଆରୀରେ ଧରଣୀଧର ମହାବିଦ୍ୟାଳୟ, ବିଶ୍ବ ବିଦ୍ୟାଳୟ ଭାବେ ଉନ୍ନୀତ ହୋଇଛି । ଏହି ବିଶ୍ବବିଦ୍ୟାଳୟ ଅଧୀନରେ ସଂପ୍ରତି ଜିଲ୍ଲାର ୩୮ଟି କଲେଜ ଅନୁବନ୍ଧିତ ରହିଛି । କିନ୍ତୁ ବିଶ୍ବବିଦ୍ୟାଳୟ ଭାବେ ଯେଉଁସବୁ ମୌଳିକ ସୁବିଧା ସୁଯୋଗ ଓ ଉନ୍ନତି ହେବା କଥା ତାହା ହୋଇପାରିନାହିଁ ।
ନୂତନଭାବେ ନିର୍ମିତ ହୋଇଥିବା ବିଶ୍ବବିଦ୍ୟାଳୟର ସାଉଥ ବ୍ଲକର ଆସବାବପତ୍ର ପାଇଁ ଏବଂ ନର୍ଥ ବ୍ଲକ୍ର ନବୀକରଣ ପାଇଁ ଆବଶ୍ୟକୀୟ ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ଏବଂ ଓଡିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରୁ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ନବୀକରଣ ନିହାତି ଆବଶ୍ୟକ ନଥିଲେ, ପୁରାତନ କୋଠାକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ କାମ ପାଇଁ ଏକ ବିଶ୍ବସ୍ତରୀୟ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ନବୀକରଣ ପାଇଁ ଆବଶ୍ୟକ ହେଉଥିବା ଜମି ପାଇଁ ଜବରଦଖଲ ହଟାଇବା ସହ ସେମାନଙ୍କର ଥଇଥାନ ବ୍ୟବସ୍ଥାକୁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ନିର୍ମାଣଧୀନ ସାଉଥ ବ୍ଲକ୍ର ସମସ୍ତ କାର୍ଯ୍ୟ ବିଶ୍ବସ୍ତରୀୟ କରିବା ପାଇଁ ଶ୍ରୀ ମାଝୀ ଇଡ୍କୋକୁ ନିର୍ଦ୍ଦେଶ ଦେଇଥିଲେ।ଏଥିସହିତ ଭବିଷ୍ୟତକୁ ଆଖି ଆଗରେ ରଖି ବିଶ୍ବବିଦ୍ୟାଳୟ ପାଇଁ ଅଧିକ ଜମି ବନ୍ଦୋବସ୍ତ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ କହିଥିଲେ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଧରଣୀଧର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡଃ ପ୍ରତାପ କୁମାର ମହାନ୍ତି ଏବଂ ଆଭାସି ମାଧ୍ୟମରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।