ଦିବ୍ୟାଙ୍ଗ ହରିହର ସାହୁ ହତ୍ୟା ଘଟଣାର ପର୍ଦ୍ଧାଫାଶ: ଖଜା ବ୍ୟବସାୟରୁ ହତ୍ୟାକାଣ୍ଡ, ବଢିଲା ଗିରଫଦାରୀ ସଂଖ୍ୟା

ପୁରୀ:ପୁରୀ ଟାଉନ ଥାନା ରାଧାଗୋବିନ୍ଦ ଲେନରେ ଗତ ୧୯ ତାରିଖ ଦିନ ଦିବ୍ୟାଙ୍ଗ ହରିହର ସାହୁଙ୍କୁ ହତ୍ୟା ଘଟଣାର ପର୍ଦ୍ଧାଫାଶ ହୋଇଛି।ଦୁଇ ମୁଖ୍ୟ ଅଭିଯୁକ୍ତ ସହ ଏହି ଘଟଣାରେ ୭ ନାବାଳକ ଗିରଫ ହୋଇଛନ୍ତି। ଅନ୍ୟ ଦୁଇ ନାବାଳକ ଫେରାର ଅଛନ୍ତି।ସେମାନଙ୍କ ଠାରୁ ଗୋଟିଏ ଲୁହା ରଡ଼, ଦୁଇଟି ଲୁହା କଟୁରୀ ଗୋଟିଏ ଚାପଡ଼ ଜବତ।ଏସପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି। ଖଜା ବ୍ୟବସାୟକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ତଦନ୍ତରୁ ଜଣାପଡିଛି।ଏହି ହତ୍ୟାକାଣ୍ଡରେ ୯ ଜଣଙ୍କ ସମ୍ପୃକ୍ତି ରହିଛି।ବିଜୟ କୁମାର ଖୁଣ୍ଟିଆ ଓ ରାକେଶ କୁମାର ଖୁଣ୍ଟିଆଙ୍କ ସମେତ ୭ ନାବାଳକ ଗିରଫ ହୋଇଛନ୍ତି।ବିଜୟ ଓ ରାକେଶ ବାପା,ପୁଅ। ।ରାକେଶ ନାଁରେ ପୂର୍ବରୁ ୯ ଟି ମାମଲା ରହିଛି।ସେହିପରି ସମସ୍ତ ୭ ନାବାଳକଙ୍କ ନାଁରେ ମଧ୍ୟ ମାମଲା ରହିଛି।ବିଜୟ କୁମାର ଖୁଣ୍ଟିଆ ଓ ହରିହର ସାହୁଙ୍କ ମଧ୍ୟରେ ଖଜା ଦୋକାନକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ଗତ ୮ତାରିଖ ଦିନ ମୃତ ହରିହର ସାହୁଙ୍କ ସାନ ପୁଅ କାହ୍ନା ଓରଫ ପ୍ରଦୀପ୍ତ ସାହୁ ନିଜ ବନ୍ଧୁଙ୍କ ସହଯୋଗରେ ବିଜୟ କୁମାର ଖୁଣ୍ଟିଆଙ୍କ ସାନ ପୁଅ ଦିନେଶ କୁମାର ଖୁଣ୍ଟିଆଙ୍କୁ ହତ୍ୟା କରିଥିଲେ।ଏହାର ପ୍ରତିଶୋଧ ନେବାକୁ ଯାଇ ବିଜୟ କୁମାର ଖୁଣ୍ଟିଆ ନିଜ ପୁଅ ରାକେଶ କୁମାର ଖୁଣ୍ଟିଆ ଓ ଅନ୍ୟ ନାବାଳକଙ୍କ ସହଯୋଗରେ ତାରିଖ ଦିନ ଦିବ୍ୟାଙ୍ଗ ହରିହର ସାହୁଙ୍କୁ ହତ୍ୟା କରିଥିଲେ।ତେବେ ଏହି ଦୁଇଟି ଯାକ ହତ୍ୟା ଘଟଣାରେ ଅନେକ ବାଳ ଅପରାଧୀ ସାମିଲ ଥିବାରୁ ଏହା ଚିନ୍ତା ବଢ଼ାଇଛି। ଛୋଟ ମୋଟ ମାମଲାରେ ସମ୍ପୃକ୍ତ ବାଳ ଅପରାଧିଙ୍କ ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଳା ଶିଶୁ ମଙ୍ଗଳ କମିଟି, ଚାଇଲଡ଼ ଲାଇନ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ବୁଦ୍ଧିଜୀବୀଙ୍କ ସହଯୋଗରେ ବାଳ ଅପରାଧୀ ଓ ସେମାନଙ୍କ ଅଭିଭାବକଙ୍କୁ ସଚେତନ କରାଯିବ ବୋଲି ଏସପି କହିଛନ୍ତି। ସେହିପରି ନିଶା କାରବାର ଉପରେ ପୋଲିସର ଚଢ଼ାଉ ଜାରି ରହିବା ସହ ପାଟ୍ରୋଲିଂକୁ ଆହୁରି କଡାକଡି କରାଯିବ ବୋଲି ଜଣାପଡିଛି।