ବାଂଲାଦେଶରେ ଅରାଜକତା: ହିନ୍ଦୁଙ୍କୁ ଟାର୍ଗେଟ, ଖୋଜି ଖୋଜି ଆକ୍ରମଣ

ଢାକା: ବାଂଲାଦେଶରେ ଉପୁଜିଥିବା ହିଂସା ଥମିବାର ନାଁ ନେଉନି। ଦିନକୁ ଦିନ ସ୍ଥିତି ଗମ୍ଭୀର ରୂପ ନେଉଛି।ପରିସ୍ଥିତି ଏମିତି ହେଲାଣି ଯେ ପ୍ରତି ମୁହୂର୍ତ୍ତରେ ଜୀବନ ଯାଉଛି। ସଂଖ୍ୟାଲଘୁ ହିନ୍ଦୁ ଏଠାରେ ଅସୁରକ୍ଷିତ ହୋଇପଡିଛନ୍ତି। ଟାର୍ଗେଟରେ ରହିଛନ୍ତି ହିନ୍ଦୁ। ଖୋଜି ଖୋଜି ସେମାନଙ୍କ ଉପରେ ଆକ୍ରମଣ ହେଉଛି।ବାଂଲାଦେଶର ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ହିନ୍ଦୁମାନଙ୍କର ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଉପରେ ଭିକ୍ଷୋଭକାରୀମାନେ ଆକ୍ରମଣ କରିଛନ୍ତି। ଖୁଲନା ଡିଭିଜନ ମେହେରପୁରର ଥିବା ଏକ ଇସ୍କନ ମନ୍ଦିରରେ ଭଙ୍ଗାରୁଜା କରିବା ସହ ଭିକ୍ଷୋଭକାରୀମାନେ ଦେବଦେବୀଙ୍କ ମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେବା ପରେ ସେଠାରେ ଥିବା ଧାର୍ମିକ ସଂଖ୍ୟାଲଘୁଙ୍କ ଅବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଆକ୍ରମଣକାରୀମାନେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରୁଛନ୍ତି। ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ି ପଳାୟନ କରିବା ପରେ ଦେଶର ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରି ହୋଇଥିବା ହିଂସାକୁ ବିରୋଧ କରି ଶୁକ୍ରବାର ହଜାର ହଜାର ଲୋକ ବାଂଲାଦେଶର ରାଜଧାନୀ ଢାକାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।