thelifelinemedia
Latest Odisha News, Breaking News Today

କିଏ ହେବେ ରାଜ୍ୟ କଂଗ୍ରେସ ମୁଖିଆ ? ଏଥର ନୂଆ ନା ପୁରୁଣା ମୁହଁ

ଭୁବନେଶ୍ୱର: କିଏ ହେବେ ରାଜ୍ୟ କଂଗ୍ରେସ ସଭାପତି ? କାହାକୁ ଦିଆଯିବ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ଦାୟିତ୍ୱ? ନୂଆ ନା ପୁରୁଣା ମୁହଁ ପାଇବେ ସୁଯୋଗ? ରାଜ୍ୟ କଂଗ୍ରେସ ସମସ୍ତ କମିଟି ଭାଙ୍ଗିବା 3 ସପ୍ତାହ ହୋଇଗଲାଣି। କିନ୍ତୁ ଏ ପର୍ୟ୍ଯନ୍ତ ସଭାପତି ଚୟନ ହୋଇପାରିଲା ନାହିଁ।କାହାକୁ ଗୁରୁଦାଇତ୍ୱ ଦେବ ଦଳ? କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ? ଏନେଇ ଆଲୋଚନା ପର୍ଯ୍ୟାଲୋଚନା ଏବେ ବି ଚାଲିଛି। ପିସିସି ସଭାପତି ରେସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନା ସବୁଠୁ ଅଧିକ ଚର୍ଚାରେ ରହିଛି। ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସହ ରାଜ୍ୟରେ ମନ୍ତ୍ରୀ ଏବଂ ଏଆଇସିସିର ଅନେକ ପଦ ପଦବୀରେ ରହିଛନ୍ତି। ଏହା ସହ ଭକ୍ତଚରଣ ଦାସ ଏବଂ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଭଳି ପୁରୁଖା ନେତା ନା ମଧ୍ୟ ପିସିସି ସଭାପତି ରେସରେ ରହିଛି।ଭକ୍ତ ଚରଣ ଦାସ କେନ୍ଦ୍ରମନ୍ତ୍ରୀ ସହ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଚାର କମିଟି ଅଧକ୍ଷଭାବରେ ଦାଇତ୍ୱ ତୁଲାଇସାରିଛନ୍ତି। ସେପଟେ ପ୍ରସାଦ ହରିଚନ୍ଦନଙ୍କ କଥା ଯଦି ଦେଖିବା ତେବେ ସିଏ ମଧ୍ୟ ପୂର୍ବରୁ ପିସିସି ସଭାପତି ରହିଥିଲେ। ସଭାପତି ଭାବରେ କାର୍ଯ୍ୟ କରିବାରେ ତାଙ୍କର ଅଭିଜ୍ଞତା ରହିଛି। ଅନ୍ୟପଟେ ଯୁବ ନେତା ଭାବରେ କୋରାପୁଟର ଦୁଇ ଦୁଇ ଥର ସାଂସଦ ହୋଇଥିବା ସପ୍ତଗିରି ଉଲାକା ନା ଉପରେ ମଧ୍ୟ ମୋହର ମାରିପାରନ୍ତି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ। ସେପଟେ ମୁରବି ବିହୀନ ହୋଇପଡିଥିବା ରାଜ୍ୟ କଂଗ୍ରେସକୁ ନେତୃତ୍ୱ ଦେବା ପାଇଁ ପିସିସି ସଭାପତି ଚୟନ ଶୀଘ୍ର କରିବାକୁ ଏଆଇସିସିକୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଚିଠି ଲେଖି ଅନୁରୋଧ କରିଥିବା ବେଳେ ଆଲୋଚନା ହେଉଛି ଖୁବଶୀଘ୍ର ରାଜ୍ୟର କଂଗ୍ରେସ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡାକରା ହେବ। ପିସିସି ସଭାପତି ଚୟନ ନେଇ ସେମାନଙ୍କ ମଧ୍ୟ ମତ ନିଆଯାଇ ଖୁବ ଶୀଘ୍ର ପିସିସି ସଭାପତି ଚୟନ ନେଇ ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.