କ୍ରିମି ଲେୟାରକୁ ନେଇ କେନ୍ଦ୍ରର ବଡ଼ ନିଷ୍ପତ୍ତି

ଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭିତରେ ଥିବା ସ୍ୱଚ୍ଛଳ ବର୍ଗଙ୍କ ପାଇଁ ଅନ୍ୟ ଏକ କାଟେଗୋରୀ କ୍ରିମି ଲେୟାର ବ୍ୟବସ୍ଥା ରଖିବାକୁ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ଅସାମ୍ବିଧାନିକ ବୋଲି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି। ଡକ୍ଟର ବି ଆର ଆମ୍ବେଦକରଙ୍କ ପ୍ରଣୀତ ଭାରତୀୟ ସମ୍ବିଧାନରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଭିତରେ ଅନ୍ୟ ଏକ କାଟେଗୋରୀ କରିବାର ପ୍ରାବଧାନ ନଥିବା କ୍ୟାବିନେଟ କହିଛି। କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ଏନଡିଏ ସରକାର ବାବା ସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ପ୍ରତି ପ୍ରତିବଦ୍ଧ ଓ ସଂକଳ୍ପବଦ୍ଧ। ସମ୍ବିଧାନରେ ଏସସି ଏସଟି ମଧ୍ୟରେ କୌଣସି କ୍ରିମି ଲେୟାରର ପ୍ରାବଧାନ ନାହିଁ। ତେଣୁ କ୍ୟାବିନେଟ ସୁବିଚାର କରି ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସଂରକ୍ଷଣ କରାଯିବ ବୋଲି ନିଷ୍ପତ୍ତି ନେଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ତଫସିଲଭୁକ୍ତ ଜାତି (ଏସ୍ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍ଟି)ଙ୍କ ମଧ୍ୟରେ ଅଧିକ ପଛୁଆ ସମୁଦାୟର ଲୋକଙ୍କୁ ନେଇ ଉପବର୍ଗୀକରଣ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ସେମାନଙ୍କୁ ପୃଥକ୍ ଭାବେ ସଂରକ୍ଷଣ ସୁବିଧା ଅନୁମତି ଦିଆଯାଇପାରିବ। ରାଜ୍ୟଗୁଡ଼ିକ ଏସସି ଏସଟିଙ୍କ ମଧ୍ୟରେ ଥିବା ଉପଜାତିଗୁଡ଼ିକର ବର୍ଗୀକରଣ କରିପାରିବେ। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଥିବା ଲୋକେ ଏହାଦ୍ୱାରା ସଂରକ୍ଷଣ ସୁବିଧା ପାଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ୫୬୫ ପୃଷ୍ଠା ସମ୍ବଳିତ ଏକ ରାୟ ଅଗଷ୍ଟ ୧ ତାରିଖରେ ପ୍ରଦାନ କରିଥିଲେ।