ଦିଦିଙ୍କୁ ମିଳିଲା ପାନେ, ଆଳୁ ନ ଦେଲେ ମାଛ,ଅଣ୍ଡା ଦିଆଯିବ ନାହିଁ

କଟକ: ତମେ ଆଳୁ ନ ଛାଡ଼ିଲେ, ଆମେ ମାଛ,ଅଣ୍ଡା,ଫଳ,ଆଦ କୌଣସି ଖାଦ୍ୟ ସାମଗ୍ରୀ ଛାଡ଼ିବୁ ନାହିଁ। ଆଳୁର ଦର ବୃଦ୍ଧିକୁ ନେଇ ରୋଷେଇ ଘରୁ ଜନ୍ମ ନେଇଥିବା ଅସନ୍ତୋଷ ଏବେ ରାଜରାସ୍ତାରେ ଯାଇ ପହଞ୍ଚିଛି। ଆଜି କଟକ ମଙ୍ଗୁଳି ଛକ ଜାତୀୟ ରାଜପଥରେ ଆଳୁ ସମସ୍ୟାକୁ ନେଇ ଜୋର୍ ଦାର ପ୍ରତିବାଦ ଦେଖିବାକୁ ମିଳିଥିଲା।ଏକାଠି ହୋଇଥିଲେ ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ସମସ୍ତ ଭାରି ଯାନଗୁଡିକୁ ଅଟକାଇ ଦେଇଥିଲେ। ସମସ୍ତେ ପ୍ରବଳ ବର୍ଷି ଥିଲେ ପଶ୍ଚିମବଙ୍ଗ ମମତା ବାନାର୍ଜୀଙ୍କ ସରକାର ଉପରେ। ତିନି ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଶହ ଶହ ଟ୍ରକ୍। କିଏ ଅମୃତଭଣ୍ଡା ଲୋଡ କରି ଯାଉଥିଲା ତ କିଏ ଅଣ୍ଡା। ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଅନେକ ମାଛ ବୋଝେଇ ଟ୍ରକ ମଧ୍ୟ ଅଟକି ରହିଥିଲା ଜାତୀୟ ରାଜପଥ ୧୬ ଉପରେ।ପଶ୍ଚିମବଙ୍ଗ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାବାସୀଙ୍କ ଉପରେ ବୈମାତୃକ ମନୋଭାବ ପୋଷଣ କରି ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନଥିବା ଅଭିଯୋଗ ଆଣିଛନ୍ତି ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା। ଜାତୀୟ ରାଜପଥ ମଙ୍ଗୁଳି ଛକ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା। ତେବେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିପରି ପ୍ରତିବାଦ ପ୍ରଦର୍ଶନ ଜାରି ରହିବ ବୋଲି ବିଭିନ୍ନ ସଂଗଠନ ଚେତାବନୀ ଦେଇଛନ୍ତି।