ବଜାରରେ ନାହିଁ ଆଳୁ, ଦିନକରେ ବଢିଲା ୨୦ରୁ ୨୫ ଟଙ୍କା

ଭୁବନେଶ୍ୱର:ରାଜ୍ୟରେ ଆଳୁର ଅଭାବୀ ସ୍ଥିତି। ଗୋଦାମରେ ଆଳୁ ନାହିଁ। କଟକ ଛତ୍ରବଜାର ହେଉ କି ଭୁବନେଶ୍ୱର ଆଇଗଣିଆ ଆଳୁ ଗୋଦାମ ସବୁଠି ଆଳୁର ମହଜୁଦ ବିଶେଷ ନାହିଁ। ଫଳରେ ଦିନକରେ ଆଳୁ ଦର ୩୫ ରୁ ଯାଇ ୫୦ ରେ ପହଂଚିଲାଣି। ବିଭିନ୍ନ ଜାଗାରେ ଏବେ ଆଳୁ ଦର କିଲୋ ପିଛା ୫୦ରୁ ୫୫ଟଙ୍କାରେ ବିକ୍ରି ହେଉଛି। ସବୁଠି ଆଳୁ ସଙ୍କଟ ଲାଗି ରହିଛି। ଯେଉଁଠି କିଛିଟା ଆଳୁ ଅଛି ସେଇଠି ଅସାଧୁ ବ୍ୟବସାୟୀ ଚଡ଼ା ଦରରେ ବିକ୍ରି କରୁଛନ୍ତି। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ୱଭାବିକ ହୋଇପାରିନି। ଉତ୍ତର ପ୍ରଦେଶରୁ ଆଳୁକୁ ବ୍ୟବସାୟୀ ଅସନ୍ତୁଷ୍ଟ। ଏବେ ପଞ୍ଜାବରୁ ଆଳୁ ଆସିବା କଥା କୁହାଯାଉଛି। ଦୀର୍ଘ ମାସେ ହେବ ଆଳୁ ଦର ଚଡା ଦରରେ ରହିଛି। ଯାହାକୁ ନେଇ ଗ୍ରାହକ ଅବା ଖାଉଟି ଏବଂ ବ୍ୟବସାୟୀ ଚିନ୍ତାରେ ଅଛନ୍ତି। ଅନ୍ୟପଟେ ସରକାର ଚେଷ୍ଟା ଚଳେଇଛନ୍ତି ଆଳୁ ଦରକୁ ନିୟନ୍ତ୍ରଣକୁ ଆଣିବା ପାଇଁ।
ଆଳୁର ଅଭାବୀ ବିକ୍ରୀ ପାଇଁ ଏବେ ଚାଷୀକୂଳ ମୁଣ୍ଡରେ ଚଡକ ପଡିଛି । ସଂରକ୍ଷଣ ଅଭାବରୁ ଏବେ ଚାଷୀ ଆଳୁକୁ ଶାଗମୁଗ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଆଳୁ ଏପରି ଏକ ପରିବା ଯାହା ବର୍ଷ ସାରା ଉପଲବ୍ଧ ହୋଇଥାଏ । ଏହାକୁ ଛାଡ଼ିଲେ ରୋଷେଇ ଘର ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଆଜି ଆଳୁ ଯେପରି ଆକାଶ ଛୁଆଁ ହୋଇଛି ଏହା ସାଧାରଣ ପରିବାର ପାଇଁ ଚିନ୍ତାର କାରଣ ହୋଇଛି । ଆଳୁର ଏହି ଦର କ’ଣ ପାଇଁ ଏମିତି ସେ ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି । ସାଧାରଣତଃ ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ । ଯେଉଁଥିପାଇଁ ଆଳୁର ଦର୍ ମଧ୍ୟ ଓଡ଼ିଶା ହାତରେ ନଥାଏ ।