ସେମିରେ ଖେଳିବେନି ଅମିତ: ଭାରତକୁ ଝଟକା

ପ୍ୟାରିସ : ଜର୍ମାନୀ ବିପକ୍ଷ ସେମି ଫାଇନାଲରେ ଖେଳିବେନି ଭାରତୀୟ ହକି ଦଳର ତାରକା ରକ୍ଷଣ ଭାଗ ଖେଳାଳି ତଥା ଓଡ଼ିଆ ପୁଅ ଅମିତ ରୋହିଦାସ। ସେମି ଫାଇନାଲରେ ତାଙ୍କୁ ଖେଳିବାକୁ ସୁଯୋଗ ଦିଆ ଯିବନି। ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚରେ ତାଙ୍କୁ ରେଡ କାର୍ଡ ମିଳିଥିବାରୁ ସେ ସେମି ଫାଇନାଲରେ ଜର୍ମାନୀ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ ବୋଲି ଜଣାପଡିଛି। କ୍ୱାର୍ଟର ଫାଇନାଲ ମ୍ୟାଚରେ ଅମିତଙ୍କ ଷ୍ଟିକ ଜଣେ ପ୍ରତିପକ୍ଷ ଖେଳାଳିଙ୍କ ମୁହାରେ ବାଜିଥିଲା। ଏହି କାରଣରୁ ଅମ୍ପାୟାର ତାଙ୍କୁ ରେଡ କାର୍ଡ ଦେଇଥିଲେ। ଫଳରେ ଶେଷ ୪୦ ମିନିଟ ପର୍ଯ୍ୟନ୍ତ ଭାରତ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳି ଥିଲା। ରେଡ କାର୍ଡ ପାଇବା ପରେ ଅମିତ ସେମି ଫାଇନାଲ ମ୍ୟାଚରୁ ବାସନ୍ଦ ହୋଇଛନ୍ତି। ଏଭଳି ସ୍ଥିତିରେ ପ୍ରତିପକ୍ଷ ଦଳ ଜର୍ମାନୀ ଫାଇଦାରେ ରହିପାରେ। ଅମିତଙ୍କୁ ରେଡ କାର୍ଡ ଦେବା ଘଟଣାରେ ଆପତ୍ତି ବା ପ୍ରତିବାଦ କରିଛି ହକି ଇଣ୍ଡିଆ। ଦୁର୍ବଳ ଅମ୍ପାୟାରିଙ୍ଗ ପାଇଁ ଅମିତଙ୍କୁ ରେଡ କାର୍ଡ ଦିଆଯାଇଛି ବୋଲି ହକି ଇଣ୍ଡିଆ କହିଛି। ଏହି ନିଷ୍ପତ୍ତି ପୁନଃ ବିଚାର କରାଯାଉ ବୋଲି ହକି ଇଣ୍ଡିଆ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ନିକଟରେ ଅଭିଯୋଗ ଆଣିଛି।