thelifelinemedia
Latest Odisha News, Breaking News Today

ବିଜେଡିକୁ ବାଏ ବାଏ କଲେ ମମତା ମହନ୍ତ

ଭୁବନେଶ୍ୱର:ବିଜେଡି ରାଜ୍ୟସଭା ସାଂସଦ ପଦ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମମତା ମହନ୍ତ। ମୟୁରଭଞ୍ଜର କୁଡୁମୀ ସମ୍ପ୍ରଦାୟର ଜଣେ ଟାଣୁଆ ନେତ୍ରୀ ବିଜେଡିକୁ ବାଏ ବାଏ କହିଛନ୍ତି। ଇସ୍ତଫା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି ମମତା ମହନ୍ତ । ବିଜେଡି ସମର୍ଥନରେ ୨୦୨୦ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଆଜି ରାଜ୍ୟସଭା ସାଂସଦ ପଦ ଏବଂ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମମତା ଚିଠିରେ କହିଛନ୍ତି କି, ଆଜି ମୋର ସେବାର ଆବଶ୍ୟକତା ସେ ଦଳ ଅନୁଭବ କରୁନାହିଁ । ମୁଁ ଯେହେତୁ ଲୋକଙ୍କ ନେତା ଏବଂ ସେମାନଙ୍କ ସେବା ହିଁ ମୋର ମୁଖ୍ୟ ଧ୍ୟେୟ, ସେଥିପାଇଁ ମୁଁ ସେ ଦଳରେ ରହିବାର ଆବଶ୍ୟକତା ଅନୁଭବ କଲି ନାହିଁ । ସେଥିପାଇଁ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ଏବଂ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଲିବୋଲି ମମତା କହିଛନ୍ତି।

ସେପଟେ ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ଦେଇଛି। ବରିଷ୍ଠ ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଏହା ଜାତୀୟ ଦଳ ଚକ୍ରାନ୍ତ। ମୟୁରଭଞ୍ଜବାସୀଙ୍କୁ ଓ ମହନ୍ତ ସମ୍ପ୍ରଦାୟକୁ ଧୋକା ଦେଇଛନ୍ତି ମମତା। ଜଣେ ଜାତୀୟ ଦଳର ସଭାପତିଙ୍କୁ ରାଜ୍ୟସଭାକୁ ପଠାଇବାକୁ ଏହା ଚକ୍ରାନ୍ତ। ଖୁବ୍ ଶୀଘ୍ର ଭିତର କଥା ଲୋକେ ଜାଣିପାରିବେ। ବିଜେଡିକୁ ଭାଙ୍ଗିବାକୁ ଜାତୀୟ ଦଳ ଚେଷ୍ଟା କରୁଛି। ହେଲେ ନବୀନ ବାବୁ ଥିବା ଯାଏ ଏହା ସମ୍ଭବ ହେବନି।ମୟୁରଭଞ୍ଜରେ ଆମର କୌଣସି ଗୋଷ୍ଠୀ କନ୍ଦଳ ନାହିଁ। କେଉଁ ଦଳ ଚକ୍ରାନ୍ତ ତାହା ସେତେବେଳେ ଆପଣ ଜାଣିବେ ଯେତେବେଳେ ତାଙ୍କ ରାଜ୍ୟ ସଭପତି ରାଜ୍ୟସଭାକୁ ଯିବେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।୨୦୨୦ ମସିହାରେ ଓଡ଼ିଶାରେ ୪ ଗୋଟି ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ସେ ଚାରିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ରଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। ରାଜନୀତିର ଆରମ୍ଭରୁ ମମତା ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ଆରମ୍ଭ କରି ୨୦୧୨ ମସିହାରେ ବିଶୋଇ ବ୍ଲକ୍‌ର ୩୪ ନମ୍ବର ଜୋନ୍‌ରୁ ଜିଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.