ଆହୁରି ୩ ଦିନ ବର୍ଷିବ

ଭୁବନେଶ୍ୱର:ରାଜ୍ୟରେ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଅଧିକାଂଶ ସ୍ଥାନରେ ପାଗ ମେଘୁଆ ସହ କିଛି କିଛି ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି। ଆହୁରି ତିନି ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ତେବେ ଆଜିଠାରୁ ବର୍ଷାର ପ୍ରକୋପ ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଇଛି। କାରଣ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ବର୍ଷାର ପ୍ରଭାବ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କଟକ, ନୟାଗଡ଼, ଢେଙ୍କାନାଳ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଅତି ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ବୌଦ୍ଧ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, କୋରାପୁଟ, ମାଲକାନଗିରି, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଚଳିତ ମୌସୁମୀରେ ରାଜ୍ୟରେ ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ୪୭୮.୮ ମିମି ବର୍ଷା ରେକର୍ଡ ହୋଇଛି। ତଳିଆ ଅଂଚଳର ଲୋକଙ୍କୁ ସତର୍କ କରାଯାଇଛି। ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ କରିଛନ୍ତି ଏସଆରସି।