ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:ନୂଆ ରାଜ୍ୟପାଳଙ୍କ ନିଯୁକ୍ତି। କିଛି ରାଜ୍ୟର ରାଜ୍ୟପାଳଙ୍କୁ ବଦଳି।୬ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଥିବା ବେଳେ ୩ ରାଜ୍ୟରେ ବଦଳି ହୋଇଛନ୍ତି ରାଜ୍ୟପାଳ। ସାମୁହିକ ଭାବେ ୯ ରାଜ୍ୟରେ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିଶନରାଓ ବାଗ୍ଡେଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲଙ୍ଗାନା, ଓମ୍ପ୍ରକାଶ ମାଥୁରଙ୍କୁ ସିକ୍କିମ୍, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେଣ ଡେକାଙ୍କୁ ଛତିଶଗଡ଼ ଓ ସି.ଏଚ୍ ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
ତେଲଙ୍ଗାନା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଝାଡ଼ଖଣ୍ଡ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସିକ୍କିମ୍ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେ ମଧ୍ୟ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ଆସାମ ରାଜ୍ୟପାଳ ଗୁଲାବ ଚନ୍ଦ୍ର କାଟାରିଆଙ୍କୁ ପଞ୍ଜାବ ରାଜ୍ୟପାଳ ଭାବେ ବଦଳି କରାଯାଇଛି।
କିଛି ରାଜପାଳଙ୍କ କାର୍ଯ୍ୟକାଳ ଶେଷ ହେବା ସହିତ ସେମାନଙ୍କ ନେତାଙ୍କ ରାଜନୈତିକ ଇନିଂସ ମଧ୍ୟ ଶେଷ ହୋଇଛି। ସେମାନଙ୍କ ମଧ୍ୟରେ ବନୱାରିଲାଲ ପୁରୋହିତ,ରମେଶ ବୈସ୍, କଲରାଜ ମିଶ୍ର ଏବଂ ବିଶ୍ୱଭୂଷଣ ହରିଚନ୍ଦନ ରହିଛନ୍ତି। ବିଶ୍ୱଭୂଷଣ ହରିଚନ୍ଦନ ୪ଥର ଓଡିଶା ସରକାରରେ ମନ୍ତ୍ରୀ ରହିଛନ୍ତି। ମନ୍ତ୍ରୀ ଥିବା ସମୟରେ ସେ ଆଇନ, ରାଜସ୍ୱ, ଗ୍ରାମୀଣ ବିକାଶ, ଖାଦ୍ୟ ଏବଂ ନାଗରିକ ଯୋଗାଣ, ଗୃହ, ଶ୍ରମ ଏବଂ ରୋଜଗାର, ଉତ୍ସ ବିକାଶ ବିଭାଗ, ସାଂସ୍କୃତିକ ବ୍ୟାପାର, ମତ୍ସ୍ୟ ଏବଂ ପଶୁପାଳନ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଭାଗ ପରିଚାଳନା କରିଛନ୍ତି। ଏବେ ତାଙ୍କୁ ରାଜ୍ୟପାଳ କାର୍ଯ୍ୟରୁ ଅବସର ଦିଆଯାଇଛି। ପୂର୍ବରୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବା ପରେ ଛତିଶଗଡ଼ର ରାଜ୍ୟପାଳ ଭାବେ ତାଙ୍କୁ ଦାୟିତ୍ୱ ଦିଆ ଯାଇଥିଲା।