thelifelinemedia
Latest Odisha News, Breaking News Today

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆଳୁ ଯୋଗାଣ ସ୍ୱାଭାବିକ ନେଇ ଆଲୋଚନା

ଭୁବନେଶ୍ୱର: ମମତା ବାନାର୍ଜୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ନୂଆ ଦିଲ୍ଲୀରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଆଳୁ ସମସ୍ୟାର ସମାଧାନ ପାଇଁ ମମତାଙ୍କ ସହିତ ଆଲୋଚନା କରିଛନ୍ତି। ପଶ୍ଚିମ ବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦରଦାମ ଅହେତୁକ ବୃଦ୍ଧି ପାଉଛି। ଏହାଦ୍ବାରା ରାଜ୍ୟର ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସେ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଥିଲେ। ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଅଛନ୍ତି।

ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ କେଉଁଠାରେ ୫୦ ଟଙ୍କାରେ ଲୋକମାନଙ୍କୁ କିଣିବାକୁ ପଡୁଛି। କିଛି ସ୍ଥାନରେ ଖୁଚୁରାରେ ୫୫ ଟଙ୍କାରେ ମଧ୍ୟ ବିକ୍ରି ହେଉଥିବା ଖବର ମିଳୁଛି। ଏସବୁ ସ୍ଥିତି ଦେଖି ଗ୍ରାହକମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହେଲାଣି। ଖୋଲା ବଜାରରେ ଆଳୁ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ କହିବା କଥା, ପାଇକାରୀ ବଜାରରେ ପର୍ଯ୍ୟାପ୍ତ ଆଳୁ ମିଳୁନାହିଁ। ତେଣୁ ଉଚ୍ଚା ଦରରେ ଆଳୁ କିଣିବାକୁ ପଡୁଛି। ତେଣୁ ଏହି ପ୍ରସଙ୍ଗରେ ମମତାଙ୍କ ସହିତ ଆଲୋଚନା କରିଛନ୍ତି ମୋହନ ମାଝୀ। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ କେମିତି ସ୍ୱାଭାବିକ ହେବ ତାରି ଉପରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

Leave A Reply

Your email address will not be published.