ଗମ୍ଭୀର- ସୂର୍ଯ୍ୟଙ୍କ ନୂଆ ଯାତ୍ରା

ବ୍ୟୁରୋ: ଆଜି ପଦାର୍ପଣ ଯାତ୍ରା ଆରମ୍ଭ କରିବେ ଭାରତର ହେଡ଼ କୋଚ ହିସାବରେ ଗୌତମ ଗମ୍ଭୀର ଓ ଟି ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ। ଭାରତ ଏହି ଯୋଡିଙ୍କ ନେତୃତ୍ୱରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି ଟ୍ୱେଣ୍ଟି ଶୃଙ୍ଖଳା ଖେଳିବ। ଆଜି ସନ୍ଧ୍ୟା ୭ଟାରେ ଖେଳିଯିବ ମ୍ୟାଚ। ନୂଆ ଯୁବ ଦଳ ଆଜି ନିଜର ଭାଗ୍ୟ ପରୀକ୍ଷା କରିବେ। ଟି ଟ୍ୱେଣ୍ଟିରୁ ରୋହିତ, କୋହଲି ଓ ଜାଡେଜା ଅବସର ନେବାପରେ ଏବେ ଭାରତୀୟ ଯୁବ ଦଳଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ହାର୍ଦ୍ଧିକ ପାଣ୍ଡ୍ୟା ଏହି ଶୃଙ୍ଖଳାରେ ଖେଳୁନଥିବାରୁ ଚୟନ କର୍ତ୍ତା ସୂର୍ଯ୍ୟଙ୍କ ଉପରେ ଭରଷା କରିଛନ୍ତି। ଉପ ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳିବେ ଶୁଭମନ ଗିଲ।
ଭାରତର ଅଲରାଉଣ୍ଡର ଡିପାର୍ଟମେଣ୍ଟରେ ମଧ୍ୟ ପାଣ୍ଡ୍ୟା, ଶିବମ ଦୁବେ ଏବଂ ଫର୍ମରେ ଥିବା ଓ୍ବାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ରହିଛନ୍ତି। ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦଳରେ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜ ଯୋଡ଼ିଙ୍କୁ ନିଆଯାଇଛି। ପାଲିକେଲ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମର ପେସ୍ ଓ ବାଉନ୍ସ ପିଚ୍ ଉଭୟଙ୍କୁ ବେଶ୍ ସୁହାଇବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ୨୦୧୪ ଟି୨୦ ବିଶ୍ୱକପ୍ ବିଜେତା ଶ୍ରୀଲଙ୍କା ଦଳ ବର୍ତ୍ତମାନ ଏକ ଖରାପ ସମୟ ଦେଇ ଗତି କରୁଛି। ସମସ୍ତ ଟି-୨୦ ମ୍ୟାଚ ପଲ୍ଲେକେଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଓ ସମସ୍ତ ଦିନିକଆ ମ୍ୟାଚ ଆର. ପ୍ରେମଦାସ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ସୂଚନାଯୋଗ୍ୟ ଯେ, ନିକଟରେ ଟି-୨୦ ବିଶ୍ୱକପରେ ବିଜୟୀ ହେବା ପରେ ଭାରତ ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ୍ ଖେଳିଥିଲା। ଜିମ୍ବାୱେ ବିପକ୍ଷ ଶୃଙ୍ଖଳାକୁ ଭାରତ ୪-୧ରେ ଜିତିଥିଲା। ଏବେ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳାକୁ ଜିତିବା ଲକ୍ଷ୍ୟରେ ଭାରତୀୟ ଯୁବ ବାହିନୀ।