ସରକାର ଦେଲେ କଣ ? ସାଧାରଣଲୋକଙ୍କୁ ବାଧିଲା ଭଳି ବଜେଟ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଅଣଦେଖା। ସାବତ ପୁଅର ଭାଗ କମ ଭଳି ସାଧାରଣ ଲୋକଙ୍କୁ ଉପେକ୍ଷା କରିଛନ୍ତି ସରକାର। ଅନ୍ୟ ବର୍ଗଙ୍କୁ ମନଖୋଲି ଉଜାଡି ଦେଇଛନ୍ତି। କିନ୍ତୁ ସାଧାରଣ ଲୋକଙ୍କ ଭାଗରେ କିଛି ନାହିଁ। ଏହା ଚିରାଚରିତ ବଜେଟ। ନା ଲୋକାଭିମୁଖୀ ନା ଲୋକପ୍ରିୟ। ଦେଶର ସବୁଠାରୁ ସିଂହଭାଗ ସାଧାରଣ ଲୋକଙ୍କ ପାଇଁ ଏ ବଜେଟ ନିରାଶା ଆଣିଛି। ଅଧିକ କଣ ଦେଲେ ତାହା ଜଣାପଡ଼ୁନି। ଅନ୍ୟବର୍ଗଙ୍କ ପାଇଁ ଯାହା କିଛି ଅଛି କିନ୍ତୁ ସାଧାରଣ ଲୋକ ପାଇଁ କିଛି ନାହିଁ।ସାଧାରଣ ଲୋକର ପକେଟକୁ ସୁହାଇଲା ଭଳିଆ ସୁବିଧା ନାହିଁ ଏହି ବଜେଟରେ।ସୁନା ଓ ରୂପା ଦର କମିଲା। ସାଧାରଣ ଘରର ମହିଳାଙ୍କ ପାଇଁ ଏହା ଭଲ ଖବର। କିନ୍ତୁ ସୁନା ଦର ଏତେ ବଢ଼ିକି ଅଛି ଯେ କମିଲା ପରେ ବି ହାତ ମାରି ହେବନି। ପକେଟକୁ ଟଙ୍କା ଆସିଲେ ସିନା ଲୋକେ ସୁନା କିଣିବେ ? ଯେଉଁଠି ହାତକୁ ଟଙ୍କା ଆସିବନି ସେଇଠି ସୁନା କିଣା କଥା କିଏ ପଚାରେ। ସୀମା ଶୁକ୍ଳ ହ୍ରାସ ଦ୍ୱାର କେବେଳେ ସୁନା ବ୍ୟବସାୟୀ ଓ ଧନୀକ ଶ୍ରେଣୀର ଲୋକ ସୁବିଧା ପାଇବେ।ବଜେଟରେ ମହିଳାଙ୍କ ନାଁରେ ସମ୍ପତ୍ତି କିଣିଲେ ରିହାତି ମିଳିବ ବୋଲି ଘୋଷଣା ହୋଇଛି। କିନ୍ତୁ ଏହା ଦ୍ୱାରା ସାଧାରଣ ଲୋକ କିଛି ଲାଭ ହେବ ନାହିଁ। ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ସରକାର ଏ ନୀତି କେବଳ ଧନୀ ଲୋକଙ୍କୁ ସୁହାଇବ ବୋଲି କୁହାଯାଉଛି।
ସାଧାରଣର ଲୋକଟିଏର ରୋଜଗାର ଟଙ୍କାରୁ ଟିକସ ନେଉଛନ୍ତି ସରକାର । ଯାହା କିଣିଲେ, ଜିଏସଟି ନେଉଛନ୍ତି। କିନ୍ତୁ ଏବେ ବୋଝ ଉପରେ ନଳିତା ବିଡା। ଏଥର କ୍ୟାପିଟାଲ ଗେନ ଟ୍ୟାକ୍ସ ଅଧିକ ଦେବାକୁ ହେବ । ଯାହା ଲୋକଙ୍କ ପୁଞ୍ଜି ନିବେଶକୁ ପ୍ରଭାବିତ କରିବ। ନୂଆ ଆୟକର ସ୍ଲାବରେ ପରିବର୍ତନ ଚାହୁଁଥିଲେ କରଦାତା । ଯଦିଓ ଷ୍ଟାଣ୍ଡର୍ଡ ଡିଡ଼କ୍ସନ ୫୦ ହଜାରରୁ ୭୫ ହଜାର କରାଯାଇଛି କିନ୍ତୁ ମଧ୍ୟମ ଶ୍ରେଣୀର କର୍ମଚାରୀଙ୍କ ପାଇଁ କିଛି ନାହିଁ। ଚଳିତ ବଜେଟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟାକ୍ସ ଛାଡ ଆଶା ରଖିଥିଲେ ସରକାରୀ କର୍ମଚାରୀ। ହେଲେ ସେମାନଙ୍କୁ ମଧ୍ୟ ନିରାଶ ହେବାକୁ ପଡିଲା। ଏଥର ବଜେଟରେ ଲୋକେ ସଂଚୟ କଥା ଭୁଲିଯିବେ। ଟଙ୍କା ବାଲିଲେ ଯାଇ ସଂଚୟ କରିବେ। କିନ୍ତୁ ଏ ବଜେଟ ଏମିତି ହୋଇଛି ଯେ ଲୋକଙ୍କ ପାଖରେ ସଂଚୟ ପାଇଁ ଟଙ୍କା ବଳିବନି। ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଏ ବଜେଟ କାମଚଳା ବଜେଟ। ଗରିବ ଲୋକଙ୍କ ପାଇଁ ଏଥରେ କିଛି ନାହିଁ ବୋଲି ସାଧାରଣ ଜନତା କହୁଛନ୍ତି।