ଉପର ମୁଣ୍ଡରେ ପ୍ରବଳ ବର୍ଷା .. ଖୋଲିବ ହୀରାକୁଦ ଗେଟ

ସମ୍ବଲପୁର:ମହାନଦୀ ଉପରମୁଣ୍ଡରେ ଲଗାଣ ବର୍ଷା। ପ୍ରବଳ ବର୍ଷା ହେଉଛି ଉପରମୁଣ୍ଡରେ। ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି। ତେଣୁ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ହୋଇଛି।ଆସନ୍ତା ଜୁଲାଇ ୨୮ ତାରିଖ ପୂର୍ବାହ୍ନ ୯ଟାରେ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବ ।ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ହେଉଛି । ଚଳିତ ବର୍ଷ ପ୍ରଥମଥର ପାଇଁ ୧ ଲକ୍ଷ ୭୦ ହଜାର ଘନଫୁଟରୁ ଅଧିକ ଜଳ ପ୍ରବେଶ କରୁଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ୬୦୫ ଫୁଟରେ ପହଞ୍ଚିଛି । ଗେଟ୍ ଖୋଲିବା ବେଳକୁ ଜଳସ୍ତର ୬୧୫ ଫୁଟ ଥିବ ।୨୮ ତାରିଖରେ କେତୋଟି ଗେଟ୍ ଖୋଲାଯିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି
ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି। ଗେଟ ଖୋଲିବା ପୂର୍ବରୁ ମହାନଦୀର ତଳିଆ ଜିଲ୍ଲାମାନଙ୍କୁ ଏନେଇ ସତର୍କ ସୂଚନା ଜାରି କରାଯିବ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।ପ୍ରତ୍ୟେକ ବର୍ଷ ଭଳି ପାରମ୍ପରିକ ପୂଜାର୍ଚ୍ଚନା ପରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ।