ବଜେଟରେ ଓଡିଶାକୁ କିଛି ମିଳିନି: ନବୀନ ପଟ୍ଟନାୟକ

ଭୁବନେଶ୍ୱର:କେନ୍ଦ୍ରୀୟ ବଜେଟରେ ନିରାଶ ହୋଇଛି ଓଡିଶା। ଯାହା ନିର୍ବାଚନୀ ପ୍ରତିଶ୍ରୁତି ଥିଲା ତାହା ପୂରଣ ହୋଇନି। ଏଥର ବଜେଟ ଓଡିଶା ପାଇଁ କିଛି ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି ଓଡିଶାକୁ ସବୁବେଳେ ଉପେକ୍ଷା କରାଯାଉଥିଲା ଏବଂ ଚଳିତ ବଜେଟରେ ମଧ୍ୟ ଓଡିଶା ପାଇଁ କିଛି ନାହିଁ।ରାଜ୍ୟବାସୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି କେନ୍ଦ୍ର ସରକାର ପୂରଣ କରିନାହାଁନ୍ତି ।ଯାହା ଓଡିଶା ବାସୀଙ୍କ ପ୍ରତି ଧୋକା ହୋଇଛି ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ପୂରଣ କଲାନାହିଁ ବଜେଟରେ ଆନ୍ଧ୍ର ଓ ବିହାରକୁ ବିପୁଳ ଅର୍ଥିକ ସହାୟତା ମିଳିଥିବା ବେଳେ ଓଡିଶା ପାଇଁ କିଛି ନାହିଁ । ରାଜ୍ୟ ସରକାର ବାରମ୍ବାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରୁଥିବା ବେଳେ ବଜେଟରେ ଏନେଇ କେନ୍ଦ୍ର ସରକାର କିଛି ସମାଧାନ କରିନାହାଁନ୍ତି।ଫଳରେ ଓଡ଼ିଶା ପ୍ରତିବର୍ଷ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି। କୃଷି, ଏମଏସଏଇ ଓ ଶିଳ୍ପ ପାଇଁ ନିର୍ବାଚନ ବେଳେ ଘୋଷଣା କରାଯାଇଥିଲା। କିନ୍ତୁ ବଜେଟରେ ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ଓଡିଶା ଓ ରାଜ୍ଯବାସୀଙ୍କୁ ସଂପୂର୍ଣ୍ଣ ଅବହେଳା କରାଯାଇଛି। ସାଧାରଣ ଲୋକ ଦରଦାମ ବୃଦ୍ଧିରେ ହଇରାଣ ହେଉଛନ୍ତି କିନ୍ତୁ ଏଥିପ୍ରତି ସରକାର ନିଘା ଦେଇ ନାହାନ୍ତି। ଡବଲ ଇଂଜିନ ସରକାର ଥାଇ ମଧ୍ୟ ଓଡିଶା ଅଣଦେଖା ହୋଇଛି ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି।