ରାଜଧାନୀରେ ମାତିଛି ଡେଙ୍ଗୁ

ଖଣ୍ଡଗିରିରୁ ୧୫ ଡେଙ୍କୁ ରୋଗୀ ଚିହ୍ନଟ ହେଲେଣି । ପଟିଆ, ନୂଆପଲ୍ଲୀରେ ସ୍ଥିତି ସାଂଘାତିକ । ୪୦ ଅଞ୍ଚଳକୁ ଡେଙ୍ଗୁ ମାଡିଗଲାଣି । ଏ ହେଉଛି ରାଜଧାନୀରେ ଡେଙ୍ଗୁର ସ୍ଥିତି । ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ପାର କଲାଣି । ରବିବାର ଗୋଟିଏ ଦିନରେ ୧୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ରୋଗୀ ଖଣ୍ଡିଗିରିରୁ ଚିହ୍ନଟ ହୋଇଛନ୍ତି ।
କେବଳ ଜୁନ ମାସରେ ୪୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଜୁଲାଇରେ ଏ ସଂଖ୍ୟା ୮୦ ଟପିଲାଣି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଡେଙ୍ଗୁ ଲଗାମ ଆଉ ବିଏମ୍ସି ହାତରେ ନାହିଁ । ପ୍ରତି ୱାର୍ଡକୁ ସଚେନତନା ପାଇଁ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଫଳ ଶୂନ । କର୍ପୋରେଟରମାନେ କେବଳ ଫଟୋ ଉଠାଇ ଛୁ ମାରୁଛନ୍ତି ।
ସରକାରୀ କ୍ୱାର୍ଟର୍ସ ପଛ ଡେଙ୍ଗୁର ଉତ୍ପତ୍ତି ସ୍ଥଳ ପାଲିଟିଛି । କୁଢ କୁଢ ଅଳିଆ ଗଦା ହୋଇଛି । ଟାୟାର, ପାଣି କୁଣ୍ଡରୁ ମଶା ବାହାରୁଛନ୍ତି । ବିଏମ୍ସି ପକ୍ଷରୁ ମଶା ବାହାରିବାକୁ ନେଇ ଫାଇନ୍ ବ୍ୟବସ୍ଥା ଲାଗୁ କରିଥିଲା । ହେଲେ ଏହା କାର୍ଯ୍ୟକାରୀ ହେଲାନାହିଁ । ବିଏମ୍ସି ଅଞ୍ଚଳରୁ ୮୫୫୨ ଲୋକଙ୍କ ନମୂନା ସଂଗ୍ରହ କରାଯାଇଛି । ସେଥିମଧ୍ୟରୁ ୧୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ପିଜିଟିଭ୍ ହାର ରହିଛି ୧.୯୦ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ ଡେଙ୍ଗୁ ରୋଗୀ ସଂଖ୍ୟା ଯେଉଁ ହାରରେ ବଢୁଛି, ଅଗଷ୍ଟ ମାସ ଶେଷ ସୁଦ୍ଧା ୨ ହଜାର ପାର କରିବ । ତେଣୁ ଏବେ ଠୁ ପ୍ରଶାସନ ସଜାଗ ରହିବା କଥା । ନ ହଲେ ସ୍ଥିତି ବେକାବୁ ହେବ ।