କିଏ ହେବେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ, ରେସରେ ମୋକିମଙ୍କ ନାଁ ଆଗରେ

ଭୁବନେଶ୍ୱର:କିଏ ହେବେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ? କାହା ନାଁରେ ମୋହର ମାରିବ ଏଆଇସିସି ? ଶରତ ପଟ୍ଟନାୟକଙ୍କ ସ୍ଥାନ ନେବେ କିଏ ?ଓଡିଶା ପ୍ରଦେଶ କଂଗ୍ରେସ କମିଟି ଭାଙ୍ଗିବା ପରେ ଏବେ ନୂଆ ପିସିସି ସଭାପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପଦ ପାଇଁ ସବୁଠୁ ଆଗରେ ଅଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ।ଯଦିଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଭକ୍ତ ଚରଣ ଦାସ, ବରିଷ୍ଠ ନେତା ତାରା ବାହନୀପତି ଏବଂ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି କିନ୍ତୁ ରେସରେ ସବୁଠୁ ଆଗରେ ରହିଛନ୍ତି ମହମ୍ମଦ ମୋକିମ। ଦକ୍ଷ ଅନୁଭବ ଦୃଷ୍ଟିରୁ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।
ଚଳିତ ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୧୪କୁ ବୃଦ୍ଧି ପାଇଛି । ଅଧିକ ସିଟ ହାସଲ କରିଥିଲେ ସୁଦ୍ଧା ଦଳର ଭୋଟ ହାର କମିଛି।ତେଣୁ ଆଗକୁ ରାଜ୍ୟରେ ସଂଗଠନକୁ ଅଧିକ ମଜଭୁତ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ସେହି ଦୃଷ୍ଟିରୁ ମୋକିମ ଉପରେ ମୋହର ମାରିପାରେ ଏଆଇସିସି।ବିଧାୟକ ମାନେ ଓ ସାଂଗଠନିକ ନେତୃତ୍ୱ ଭିତରେ ଲାଗିରହିଥିବା ତୁ ତୁ ମେ ମେ ସ୍ଥିତିକୁ ପ୍ରଶମିତ କଲାଭଳି ଜଣେ ଦକ୍ଷ ନେତା ହେଉଛନ୍ତି ମୋକିମ। ୨୦୧୯ରେ ମୋକିମ ବିଜେଡି ଗଡ଼ ଭାଙ୍ଗି କଟକ ବାରବାଟୀ ଆସନ କବଜା କରିଥିଲେ। ଚଳିତ ଥର ଅଦାଲତ ମାମଲା କାରଣରୁ ତାଙ୍କ ଝିଅ ସୋଫିଆ ଏହି ଆସନରୁ ଲଢ଼ି ଜିତିଛନ୍ତି।
ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଆଜି ଓଡ଼ିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଛି ଭାରତୀୟ ଜାତୀୟ କଂଗ୍ରେସ।ପିସିସି ସମେତ କାର୍ଯ୍ୟକାରୀ କମିଟି, ଜିଲା,ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭାଙ୍ଗିଛି କଂଗ୍ରେସ । ଏବେ ରାଜ୍ୟ କଂଗ୍ରେସରେ ହେବ ଆମୂଳ ଚୂଳ ପରିବର୍ତ୍ତନ। ମିଳିବେ ନୂଆ ମଙ୍ଗୁଆଳ। ତେବେ କାହା ନାଁ ରେ ମୋହର ଲାଗୁଛି ତା ଉପରେ ସମସ୍ତଙ୍କ ନଜର ।