thelifelinemedia
Latest Odisha News, Breaking News Today

ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ

ବ୍ୟୁରୋ: ଆରପାରିରେ ପଦ୍ମଶ୍ରୀ କମଳା ପୂଜାରୀ। ୭୦ ବର୍ଷ ବୟସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ୧୮ତାରିଖ ଦିନ କଟକ ଏସସିବିକୁ ଚିକିତ୍ସା ପାଇଁ ଆସିଥିଲେ। ଏସସିବି ମେଡିକାଲର ଆଇସିୟୁ ରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଥିଲା । କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଥିଲେ କମଳା ପୂଜାରୀ। ଏସସିବି ମେଡ଼ିସିନ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଙ୍କ ନେତୃତ୍ବରେ ଏକ ଚାରିଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ମେଡ଼ିସିନ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡ଼ିସିନ ବିଭାଗ ର ଚାରିଜଣ ଡାକ୍ତର ଙ୍କୁ ନେଇ ଏହୀ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା ତାଙ୍କ ଚିକିତ୍ସା ପାଇଁ । ହେଲେ ଶେଷବେଳକୁ ତାଙ୍କର ଦେହାନ୍ତ ହୋଇଛି।ସ୍ବର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ। ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ। ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ରାଜ୍ୟ ଓ ଦେଶ କେବେ ଭୁଲି ପାରିବ ନାହିଁ। ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ଅନୁପସ୍ଥିତିରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.