ଶେଷ ଥର କେବେ ଖୋଲିଥିଲା ରତ୍ନ ଭଣ୍ଡାର ? ଜାଣନ୍ତୁ ପୁରା ଇତିହାସ

ପୁରୀ:ରତ୍ନ ଭଣ୍ଡାରକୁ ନେଇ ସମସ୍ତଙ୍କ ଭିତରେ ଉତ୍ସୁକଥା।ମହାପ୍ରଭୁଙ୍କୁ ଲାଗି ପାଇଁ ଶ୍ରୀମନ୍ଦିର ଭିତରେ ଯେଭଳି ସ୍ବତନ୍ତ୍ର ରତ୍ନଭଣ୍ଡାର ରହିଛି, ବିଶ୍ବରେ ଅନ୍ୟ କୌଣସି ଦେବଦେବୀ ମନ୍ଦିରରେ ବୋଧହୁଏ, ଏଭଳି ରତ୍ନଭଣ୍ଡାର ନଥିବ। ରତ୍ନ ଭଣ୍ଡାର ଇତିହାସ ବହୁ ପୁରୁଣା। ଶେଷ ଥର ୧୯୭୮ମସିହା ଜୁଲାଇ ୧୪ତାରିଖରେ ରତ୍ନ ଭଣ୍ଡାର ଖୋଲିଥିଲା।ରତ୍ନଭଣ୍ଡାରର ସଂପୂର୍ଣ୍ଣ ଯାଞ୍ଚ ସହ ଗଚ୍ଛିତ ସୁନା, ରୁପା, ରତ୍ନ ଆଦି ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇଥିଲା। ପୂର୍ବରୁ ୧୯୬୭ ମସିହାରେ ରତ୍ନ ଭଣ୍ଡାର ଯାଞ୍ଚ ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ସଂପୂର୍ଣ୍ଣ ହୋଇପାରିନଥିଲା।
୧୯୭୮ମସିହାରେ ରତ୍ନ ଭଣ୍ଡାର ଖୋଲାଯିବା ପରେ ଲମ୍ବା ସମୟ ଧରି ଗଣତି ପ୍ରକ୍ରିୟା ଚାଲିଥିଲା। ୧୯୭୮ ମସିହା ମେ ମାସ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲାଗଣତି ପ୍ରକ୍ରିୟା।ପୂର୍ବ ତାଲିକା ସହ ମେଳ କରାଯାଇ ସଂପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଇଥିଲା। ପରେ ୧୯୮୨ ମସିହା ଡିସେମ୍ବର ୨୬ରେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ହଜାର ୩୩୭ ଭରି ୧୦ଅଣା ରୁପା କଢ଼ାଯାଇଥିଲା। ଶେଷ ଥର ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ଚିତା ମରାମତି ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ସୁନା ଅଣାଯାଇଥିଲା।
ପ୍ରତି ୩ ବର୍ଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଇନ୍ଭେଣ୍ଟୋରି କରିବାର ନିୟମ ରହିଛି। କିନ୍ତୁ ୧୯୮୫ ମସିହା ପରଠାରୁ ରତ୍ନଭଣ୍ଡାର ଆଉ ଖୋଲା ହୋଇନି। ଶେଷଥର ୨୦୧୮ ଏପ୍ରିଲ ୪ରେ ଖୋଲାଯିବାକୁ ଉଦ୍ୟମ ଥିଲା କିନ୍ତୁ ତାହା ବିଫଳ ହୋଇଥିଲା। ସଂଯୋଗ ବଶତଃ ୧୯୭୮ ମସିହାରେ ରତ୍ନ ଭଣ୍ଡାର ଖୋଲାଯିବା ସମୟରେ ବିଶ୍ୱଭୂଷଣ ହରିଚନ୍ଦନ ସେତେବେଳେ ଆଇନ ମନ୍ତ୍ରୀ ଥିଲେ। ଏବେ ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଆଇନ ମନ୍ତ୍ରୀ ଅଛନ୍ତି ଏବଂ ତାଙ୍କ ତତ୍ୱାବଧାନରେ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆଗକୁ ବଢ଼ିଛି।