thelifelinemedia
Latest Odisha News, Breaking News Today

ଆଜି ଖୋଲିବ ରତ୍ନ ଭଣ୍ଡାର, ଶୁଭ ମୁହୂର୍ତ୍ତ ମଧ୍ୟାହ୍ନ ୧ଟା ୨୮ ମିନିଟ

ପୁରୀ : ଆଜି ଖୋଲିବ ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାର । ଶୁଭ ମୁହୂର୍ତ୍ତ ୧.୨୮ ମିନିଟରେ ରତ୍ନ ଭଣ୍ଡାର ଖୋଲାଯିବା ନିଷ୍ପତ୍ତି ହୋଇଛି। ପ୍ରଥମେ ୧୧ଜଣିଆ ଟିମ ରତ୍ନଭଣ୍ଡାର ତଦରଖ କରିବା ପାଇଁ ଯିବେ। ତା ପରେ ପ୍ରକ୍ରିୟା ଆଗକୁ ବଢିବ। ଗତକାଲି ବିଳମ୍ବିତ ରାତିରେ ବିଳମ୍ବିତ ରାତିରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ସଦସ୍ୟ ଶ୍ରୀମନ୍ଦିର ପରିସରକୁ ପ୍ରବେଶ କରି ଯେଉଁଠି ଅସ୍ଥାୟୀ ଭାବେ ରତ୍ନ ଓ ଅଳଙ୍କାରକୁ ରଖାଯିବ ତାହା ଅନୁଧ୍ୟାନ କରିଛନ୍ତି।

ସ୍ୱଚ୍ଛତାର ସହିତ ଏହି କାର୍ଯ୍ୟ ସମ୍ପାଦନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।ପ୍ରତିଟି ଦିଗକୁ ଧ୍ୟାନ ଦିଆଯାଇଛି।ରିଜର୍ଭ ବ୍ୟାଙ୍କର ଅଧିକାରୀ ଏଥିରେ ସାମିଲ ହେବେ।ରତ୍ନଭଣ୍ଡାର ଖୋଲାଯିବା ପରେ ପ୍ରଥମେ ବନ୍ଦ ଥିବା ସିନ୍ଧୁକ ଏବଂ ଅନ୍ୟ ବାକ୍ସ ଗୁଡ଼ିକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ନୂଆ ବାକ୍ସ ବ୍ୟବହାର କରାଯାଇ ତାକୁ ତାଲା ପକାଯିବ। ଦ୍ୱିତୀୟ କାର୍ଯ୍ୟ ସ୍ୱରୂପ ଭିତର ଗଣତିର ଘରର ସ୍ଥିତି ଯାଞ୍ଚ ହେବ। ମରାମତି ପାଇଁ ଏଏସ୍‍ଆଇ ଅନୁଧ୍ୟାନ କରିବା ପରେ କେତେଦିନ ମରାମତି ପାଇଁ ଆବଶ୍ୟକ ଏବଂ କି ପ୍ରକାର ପଦକ୍ଷେପ ନିଆଯିବ ସେ ବାବଦରେ ତର୍ଜମା କରାଯିବ। ତୃତୀୟ ପଦକ୍ଷେପ ସ୍ୱରୂପ ଗଣତି ମଣତି କରାଯିବ ଏବଂ ଏହାକୁ ପୂର୍ବ ରେକର୍ଡ ଅନୁସାରେ ମେଳକ କରାଯିବ। ଏହାପରେ ମରାମତି ଓ ସ୍ଥାନାନ୍ତର କରାଯିବ। ୪୬ ବର୍ଷ ପରେ ରତ୍ନ ଭଣ୍ଡାର ଖୋଲିବାକୁ ଯାଉଛି। ରତ୍ନ ଭଣ୍ଡାରରେ ଅନେକ ହୀରା ଲୀଳା ମୋତି ମାଣିକ୍ୟ ଭଳି ଅମୁଲ୍ୟ ରତ୍ନ ରହିଛି। ଏଠି କହିରଖୁ ୨୦୧୮ ମସିହାରେ ରତ୍ନ ଭଣ୍ଡାର ଖୋଲିବା ନେଇ ପୂର୍ବ ସରକାର ଉଦ୍ୟମ କରିଥିଲେ କିନ୍ତୁ ତାହା ଫଳପ୍ରଦ ହୋଇ ନଥିଲା।ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଏଥିପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ରହିବ ଚାରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଶ୍ରୀମନ୍ଦିର ଭିତରେ ସମସ୍ତ ଅତ୍ୟାଧୁନିକ ସରଞ୍ଜାମ ସହ ଓଡ୍ରାଫ ସ୍ୱତନ୍ତ୍ର ଟିମ ମହଜୁଦ ଅଛନ୍ତି।

Leave A Reply

Your email address will not be published.