ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗ, ତେଜିଲାଣି ବିରୋଧ

ଭୁବନେଶ୍ୱର:ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗକୁ ନେଇ ତେଜିଲାଣି ବିରୋଧ। ଏତଲା ପରେ କାହିଁକି ରାଜ୍ୟପାଳଙ୍କ ପୁଅଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି ତାକୁ ନେଇ ପ୍ରତିବାଦର ସ୍ୱର ଶାଣିତ ହେଲାଣି। ବିଜେଡି କଂଗେସ ସମେତ ବିଭିନ୍ନ ସଂଗଠନ ଏହାକୁ ନେଇ ବିରୋଧ କଲେଣି।କଂଗ୍ରେସ ରାଜଭବନ ଆଗରେ ବିକ୍ଷୋଭ ଜାରି ରଖି ରାଜ୍ୟପାଳଙ୍କ ଇସ୍ତଫା ଦାବି କରିବା ସହିତ ପୁଅ ଲଳିତ ପ୍ରତି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । ସେପଟେ ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଛି ବିଜେଡି ।ବିଜେଡି ନେତା ପ୍ରତାପ ଦେବ ପ୍ରେସମିଟ କରି କହିଛନ୍ତି, ଏତଲା ଥାନାରେ ଦାୟର ହୋଇଛି । ହେଲେ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ କାହିଁକି ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ପ୍ରତାପ । ଏହା ସହିତ ପ୍ରତାପ ଦେବ ଆହୁରି ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଗ୍ରିଭାନ୍ସ ଖୋଲିଛନ୍ତି, ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ସେଭଳି କ୍ଷେତ୍ରରେ ଜଣେ ସାଧାରଣ କର୍ମଚାରୀଙ୍କ ଅଭିଯୋଗକୁ ଦୃଷ୍ଟିରେ ନେଇ ନ୍ୟାୟ ଦିଅନ୍ତୁ ବୋଲି ପ୍ରତାପ ଦାବି କରିଛନ୍ତି।
ଗତ ୭ ତାରିଖରେ ଏଏସ୍ଓ ବୈକୁଣ୍ଠନାଥ ପ୍ରଧାନଙ୍କ ସହିତ ପୁରୀ ରାଜଭବନରେ ଘଟିଥିବା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଜଣେ ସରକାରୀ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।
ରାଜ୍ୟପାଳଙ୍କ ପୁଅଙ୍କ ଏଭଳି ଆଚରଣ ନିନ୍ଦନୀୟ।ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ। ପୁଲିସ ନକଟରେ ଅଭିଯୋଗ ହୋଇଛି, ମାନବାଧିକାର କମିଶନରେ ବି ଅଭିଯୋଗ ହୋଇଛି। କିନ୍ତୁ ଆଜି ଯାଏ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ। ଯାହା ସରକାରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠିଛି।ଅନ୍ୟପଟେ ଏ ସଂକ୍ରାନ୍ତରେ ସମ୍ପୃକ୍ତ ଏଏସ୍ଓଙ୍କ ଅଭିଯୋଗ ପରେ ରାଜ୍ୟ ସଚିବାଳୟ ସେବା ସଂଘ ଘଟଣାରେ ହସ୍ତକ୍ଷେପ କରିଛି। ସଂଘ ପକ୍ଷରୁ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଘଟଣାର ନିନ୍ଦା କରାଯାଇଥିଲା।ତୁରନ୍ତ ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଦାବି ହୋଇଥିଲା।