thelifelinemedia
Latest Odisha News, Breaking News Today

ସୁରମା ପାଢ଼ୀ ହେଲେ ବାଚସ୍ପତି.. ଓଡ଼ିଶା ବିଧାନସଭା ପାଇଲା ପୁଣି ଜଣେ ମହିଳା ବାଚସ୍ପତି

ଭୁବନେଶ୍ୱର:ସସୁରମା ପାଢ଼ୀ ହେଲେ ଓଡିଶା ବିଧାନସଭାର ବାଚସ୍ପତି। ପ୍ରମିଳା ମଲ୍ଲିକଙ୍କ ପରେ ପୁଣି ଜଣେ ମହିଳା ବାଚସ୍ପତି ପାଇଲା ଓଡିଶା ବିଧାନସଭା। ରଣପୁର ବିଧାୟିକା ତଥା ରାଜ୍ୟ ବିଜେପିର ଆଗ ଧାଡିର ନେତ୍ରୀ ନିର୍ଦ୍ବନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଦାୟିତ୍ବ ଗ୍ରହଣ କରିଛନ୍ତି ରଣପୁରର ବିଧାୟିକା ସୁରମା ପାଢୀ । ବିଧାନସଭା ସ୍ବତନ୍ତ୍ର ଅଧିବେଶନର ଅନ୍ତିମ କାର୍ଯ୍ୟଦିବସରେ ସସର୍ବସମ୍ମିତିକ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ସୁରମା । କାମଚଳା ବାଚସ୍ପତି ରାଜା ସ୍ବାଇଁଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସଂସଦୀୟ ପ୍ରକ୍ରିୟା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁରମାଙ୍କୁ ବାଚସ୍ପତିଙ୍କ ପୋଡିୟମ ପର୍ଯ୍ୟନ୍ତ ପାଛେଟି ନେଇଥିଲେ । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ହେଉଛନ୍ତି ରାଜ୍ୟର ଦ୍ବିତୀୟ ମହିଳା ବାଚସ୍ପତି।

ରାଜ୍ୟ ବିଜେପିର ଆଗଧାଡ଼ିର ନେତ୍ରୀ ହେଉଛନ୍ତି ସୁରମା ପାଢ଼ୀ।ଜାତୀୟସ୍ତରରେ ବି ତାଙ୍କର ସୁନାମ ରହିଛି।୧୯୮୮ ମସିହାରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ।୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ସୁରମା ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ହେବାର ସୌଭାଗ୍ୟ ପାଇଥିଲେ।ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁରମା। ଏଭଳି ଏକ ଆସନରେ ସେ ଦିନେ ବସିବେ ବୋଲି କେବେ ଭାବିନଥିଲେ। ନିରପକ୍ଷତାର ସହ ଗୃହ ପରିଚାଳନା କରିବି ବୋଲି କହିଛନ୍ତି। ଗୃହର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ସୁରମା ପାଢ଼ୀ।

Leave A Reply

Your email address will not be published.