ମୌସୁମୀ ଋତୁରେ ଗାଏବ ବର୍ଷା, ରାଜ୍ୟରେ ଅସମ୍ଭାଳ ହେଲାଣି ତାତି

ଭୁବନେଶ୍ୱର:ଓଡ଼ିଶାକୁ ଏଥର ୪ଦିନ ଆଗରୁ ମୌସୁମୀ ପ୍ରବେଶ କରିଥିଲା। ହେଲେ ବର୍ଷାର ଦେଖା ନାହିଁ। ପ୍ରଚଣ୍ଡ ତାତିରେ ସିଜୁଛି ଓଡିଶା। ମୌସୁମୀ ଋତୁରେ ଗ୍ରୀଷ୍ମର ରାଜ। ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଆଶା କରାଯାଉଥିଲା ଏଥର ସାରା ରାଜ୍ୟରେ ଆଗୁଆ ମୌସୁମୀ ବର୍ଷା ହେବ । ମାତ୍ର ଦିନ ଗଡ଼ି ଗଡ଼ି ଚାଲିଛି କିନ୍ତୁ ବର୍ଷାର ଦେଖା ନାହିଁ। ମାଲକାନଗିରି, କୋରାପୁଟକୁ ଛାଡ଼ି କୌଣସି ଅଂଚଳରେ ସକ୍ରିୟ ହୋଇପାରୁନି ମୌସୁମୀ । ଏପଟେ ରାଜ୍ୟରେ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଟ କରୁଛି । ୧୯ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆଜି ପାଇଁ ବାଲେଶ୍ବର,ଭଦ୍ରକ,କେନ୍ଦ୍ରାପଡ଼ା, ଯାଜପୁର,କଟକ, ଜଗତସିଂପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି ପାଇଁ ୟେଲୋ ୱର୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ସେହିପରି ଆସନ୍ତାକାଲି ପାଇଁ ୧୧ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପାଇଁ ୱାର୍ଣିଂ ଜାରି କରାଯାଇଛି।ଅନ୍ୟପଟେ ୨୦ତାରିଖରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ବିଶେଷକରି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ରେ ପ୍ରବଳ ବର୍ଷା ସମ୍ଭାବନା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ।ଏଥିସହ ଆଗାମୀ ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେବା ସହ ରାଜ୍ୟର କିଛି କିଛି ଅଞ୍ଚଳ ସ୍ପର୍ଶ କରିବ ମୌସୁମୀ।
ବର୍ତ୍ତମାନ ରାଜ୍ୟରେ ଜୁନ୧ ରୁ ୧୭ ଜୁନ ମଧ୍ୟରେ ୯୧.୪ ମିମି ବର୍ଷା ରେକର୍ଡ ହେବା କଥା କିନ୍ତୁ ରେକର୍ଡ ହୋଇଛି ୩୬.୭ ମିମି ବର୍ଷା।ଯାହା ସ୍ୱାଭାବିକ ବର୍ଷା ର ୪୨ ପ୍ରତିଶତ ନିଅଁଟିଆ ରହିଛି ।ତେବେ ଚଳିତ ସିଜିନରେ ୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଏବଂ ୨୬ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି ।