ବାଚସ୍ପତି ସସ୍ପେନ୍ସରେ ସରଗରମ ରାଜନୀତି, ଦିଲ୍ଲୀରେ ଚାଲିଛି ଘନ ଘନ ବୈଠକ

ନୂଆଦିଲ୍ଲୀ:ଅଷ୍ଟାଦଶ ଲୋକସଭାରେ କିଏ ହେବେ ବାଚସ୍ପତି। କାହାକୁ ମିଳିବ ଉପ ବାଚସ୍ପତି ତାରି ଉପରେ ଅଟକିଛି ଦେଶର ରାଜନୀତି।ଆସନ୍ତା ୨୪ ତାରିଖରେ ଆରମ୍ଭ ସ୍ୱତନ୍ତ୍ର ଅଧିବେଶନ।୮ ଦିନିଆ ସ୍ୱତନ୍ତ୍ର ଅଧିବେଶନ ସହିତ ବାଚସ୍ପତି ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ୨୪ ଓ ୨୫ ତାରିଖରେ ନୂଆ ସାଂସଦମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନବ ନିର୍ବାଚିତ ସାସଂଦ ମାନେ ଶପଥ ନେବେ।
ସେହିପରି ୨୬ ତାରିଖରେ ବାଚସ୍ପତି ପଦ ନିମନ୍ତେ ନିର୍ବାଚନ ହୋଇପାରେ।
୨୦୧୪ରୁ ୧୦ବର୍ଷ ହେଲା ଲୋକସଭାରେ ଉପବାଚସ୍ପତି ପଦରେ କାହାକୁ ନିଯୁକ୍ତି ଦିଆଯାଇ ନ ଥିଲା। ବିରୋଧୀ ଏ ନେଇ ଶାସକ ଦଳ ଉପରେ ଚାପ ସୃଷ୍ଟି କରି ପାରୁନଥିଲେ।ସଂଖ୍ୟାଲଘୁ ବିରୋଧୀ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇ ନ ଥିଲେ। ମାତ୍ର ୨୦୨୪ରେ ବିରୋଧୀଙ୍କ ସ୍ଥିତିଏକଦମ ଭଲ ରହିଛି। ଏଥର ବିରୋଧୀ ଟିମ ଶକ୍ତିଶାଳୀ ହୋଇଛନ୍ତି। ସଂସଦରେ ସୁଦୃଢ଼ ହୋଇଥିବାରୁ ଇଣ୍ଡିଆ ମେଣ୍ଟ ଉପବାଚସ୍ପତି ପଦ ଦାବି କରିଛନ୍ତି। ଏପରିକି ଯଦି ବିରୋଧୀଙ୍କୁ ଉପ ବାଚସ୍ପତି ପଦ ନ ମିଳେ, ତେବେ ବାଚସ୍ପତି ନିର୍ବାଚନରେ ବିରୋଧୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି।ବିଜେପି ପାଇଁ ବାଚସ୍ପତି ନିର୍ବାଚନ ଅଡୁଆ ସ୍ଥିତି ସୃଷ୍ଟି କରିଛି।
ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ)ର ସହଯୋଗୀ ଦଳକୁ ବାଚସ୍ପତି ପଦ ଦିଆଯିବା ଉଚିତ ବୋଲି ଇଣ୍ଡି ମେଣ୍ଟ ନେତାମାନେ ମତ ରଖି ଅଡ଼ୁଆ ବଢ଼ାଇଛନ୍ତି। ଏହି ପ୍ରସଙ୍ଗରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁ) ଏବଂ ଚନ୍ଦ୍ରବାବୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଭିନ୍ନ ଭିନ୍ନ ମତ ରଖିଥିବାରୁ ବିଜେପିର ଚିନ୍ତା ବଢ଼ିଛି।