ଅଡୁଆରେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା.. ଗିରଫ ହେବା ନେଇ ଆଶଙ୍କା

ନୂଆଦିଲ୍ଲୀ :କର୍ଣ୍ଣାଟକ ରାଜନୀତି ସରଗରମ।କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପାଙ୍କ ବଢ଼ିଲା ଅଡୁଆ। ଗିରଫ ହୋଇପାରନ୍ତି କର୍ଣ୍ଣାଟକର ଏଇ ପୂର୍ବତନ ମୁଖ୍ୟମନ୍ତ୍ରୀ।ବେଙ୍ଗାଲୁରୁର ଏକ ଅଦାଲତ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି ୟେଦିୟୁରପ୍ପାଙ୍କ ବିରୁଦ୍ଧରେ। ପୋକ୍ସୋ ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି।
ଘଟଣା ହେଉଛି ଏମିତି। ୟେଦିୟୁରପ୍ପା ଜଣେ ୧୭ ବର୍ଷୀୟା ନାବାଳିକା ଝିଅକୁ ତାଙ୍କ ବାସଭବନରେ ସାକ୍ଷାତ ବେଳେ ଯୌନ ନିର୍ଯାତନା ଦେଇଥିବା ନାବାଳିକାଙ୍କ ମା’ ଅଭିଯୋଗ କରିଥିଲେ। ଏବେ ଏହି ଘଟଣା ସାମ୍ନାକୁ ଆସିଛି।ମହିଳାଙ୍କ ବୟାନକୁ ଭିତ୍ତି କରି ୟେଦିୟୁରପ୍ପାଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଏବଂ ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୫୪ଏ (ଯୌନ ଉତ୍ପୀଡ଼ନ) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା।ୟେଦିୟୁରପ୍ପା ଏବେ ଦିଲ୍ଲୀରେ ଅଛନ୍ତି। ୟେଦିୟୁରପ୍ପା ବିରୋଧରେ ପୋକ୍ସୋ ମାମଲାର ତଦନ୍ତ କରୁଥିବା ସିଆଇଡି ଗିରଫ ପରୱାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରିଥିଲା, କୋର୍ଟଙ୍କ ସମ୍ମତି ପରେ ଗିରଫ ପରଓ୍ବାନା ଜାରି କରାଯାଇଛି ।ଆଇନ ଅନୁଯାୟୀ ୟେଦୁରପ୍ପାଙ୍କୁ ନୋଟିସ୍ କରାଯାଇଛି। ଏହାପରେ ଜୁନ୍ ୧୫ ସୁଦ୍ଧା ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ରହୁଛି।
ୟେଦୁରପ୍ପାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିବା ୫୪ ବର୍ଷୀୟା ମହିଳାଙ୍କର ଗତ ମାସରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ଫୁସଫୁସ୍ କର୍କଟରେ ପୀଡ଼ିତ ଥିଲେ ମହିଳା ଜଣକ । ଅନ୍ୟପକ୍ଷେ ୮୧ ବର୍ଷୀୟ ୟେଦୁରପ୍ପା ଏ ଘଟଣାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ତାଙ୍କ ବିରୋଧରେ ଆସିଥିବା ଏଭଳି ଅଭିଯୋଗ ଭିତ୍ତିହୀନ। ତାଙ୍କ ବିରୁଦ୍ଧରେ ଏଭଳି ଚକ୍ରାନ୍ତ କରଯାଉଛି ବୋଲି ସେ କହିଛନ୍ତି। ଏହି ମାମଲା ବିରୋଧରେ ଆଇନ ଅନୁଯାୟୀ ଲଢ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ୟେଦୁରପ୍ପା।