ବଡଦାଣ୍ଡରେ ଛାଇଗଲା ବିଜେପି ଟିମ, ମୋହନ ସରକାରକୁ ପାଖରେ ପାଇ ଲୋକେ ଖୁସ

ଭୁବନେଶ୍ୱର:ସକାଳୁ ସକାଳୁ ବଡଦାଣ୍ଡ ପାଲଟିଥିଲା ଜନ ସମୁଦ୍ର। ଶପଥ ଗ୍ରହଣ ପରେ ପ୍ରଥମ ଥର ମୋହନ ଟିମ ଯାଇଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ଅବସର ଥିଲା ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା। ସକାଳୁ ସକାଳୁ କଡା ସୁରକ୍ଷା ଭିତରେ ବଡଦାଣ୍ଡରେ ପହଞ୍ଚିଥିଲେ ମୁଖମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସଦସ୍ୟ। ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ସାଂସଦ ସମ୍ବିତ ପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗିର ସାଂସଦ ସଂଗୀତା ସିଂ ଦେଓ ପ୍ରମୁଖ ବିଜେପିର ହେଭିୱେଟ ଚେହେରା ଶ୍ରୀମନ୍ଦିର ଯାଇଥିଲେ।
ରାଜ୍ୟରେ ସରକାର ଗଠନ ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି ବିଜେପି ଟିମ।ବଡଦାଣ୍ଡରେ ବିଜେପି ଟିମକୁ ପାଖରେ ପାଇ ଲୋକେ ଖୁସି ହୋଇଥିଲେ। ବିଜେପି ସରକାର କ୍ଷମତାକୁ ଆସିଲେ ସବୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । ପରେ ଏହାକୁ ନେଇ ବିଜେପି ସଫଳ ହୋଇଥିଲା । ଓଡ଼ିଶାରେ ସରକାର ଶପଥ ନେବା ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ।ପରେ ଆଜି ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲାଯାଇଥିଲା । ତେବେ ଚାରି ଦ୍ବାରରେ ଭକ୍ତଙ୍କ ସୁବିଧା ପାଇଁ ଜୋତା ଷ୍ଟାଣ୍ଡ, ପାନୀୟ ଜଳ ବ୍ୟବସ୍ଥା, ଖରା, ବର୍ଷାରୁ ରକ୍ଷା ପାଇଁ ସେଡ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ହୋଇଛି ।ସେପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ସ୍ବାଗତ କରିଛନ୍ତି ।