ଓଡିଶାରେ ମୋହନ ସରକାର…ଆଜିଠୁ ଆରମ୍ଭ ହେଲା ବିଜେପି ସରକାର…

ଭୁବନେଶ୍ୱର:ସରପଞ୍ଚରୁ ମୁଖ୍ୟମନ୍ତ୍ରୀ। ଗୁରୁଜୀରୁ ଗୁରୁ ଦାୟିତ୍ବ। ପରାଜୟରୁ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ୨୪ବର୍ଷ ପରେ ସତ୍ତା ପରିବର୍ତ୍ତନର ସାକ୍ଷୀ ରହିଲା ଜନତା ମଇଦାନ।ପ୍ରଥମ ଥର ବିଜେପି ସରକାର ଗଠନ କରିଛି।୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ଆଜିଠୁ ଓଡିଶାରେ ଚାଲିଲା ବିଜେପି ସରକାର।
ସରପଞ୍ଚରୁ ସିଏମ। ମୋହନ ମାଝୀଙ୍କ ରାଜନୈତିକ ଯାତ୍ରା ବେଶ ରୋଚକ।୫୨ ବର୍ଷୀୟ ମୋହନ ଚରଣ ମାଝୀ ୬ ଜାନୁଆରୀ ୧୯୭୨ରେ କେନ୍ଦୁଝରର ରାଇକଳାରେ ଜନ୍ମ ଗ୍ରହଣ କରିଥିଲେ। ଏହାପରେ ଶିକ୍ଷା ସମାପ୍ତ ପରେ ମୋହନ ମାଝୀ ୧୯୯୪ ମସିହାରେ ଛୁମ୍ପୁରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଜୀ ଭାବେ କାମ କରୁଥିଲେ। ଶିକ୍ଷକତା ପରେ ୧୯୯୭ରେ ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଚରଣ ମାଝୀ। ୧୯୯୭ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଇକଳା ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ।ସମୟ ଚକ୍ରରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ଜନତା ମଇଦାନରେ ରାଜ୍ୟପାଳ ରଘୁବାର ଦାଶ ମୋହନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ସେହିପରି ଉପ ମୁଖ୍ୟମନ୍ତ୍ରୀ ଭାବେ କେଭି ସିଂ ଦେଓ ଏବଂ ପ୍ରଭାତି ପରିଡା ଶପଥ ନେଇଛନ୍ତି।