ଅଢେଇ ଦଶନ୍ଧି ପରେ ଓଡିଶା ପାଇଲା ଉପ ମୁଖ୍ୟମନ୍ତ୍ରୀ..ବସନ୍ତ ବିଶ୍ୱାଳ ଥିଲେ ଶେଷ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଅଢେଇ ଦଶନ୍ଧି ପରେ ଓଡିଶା ପାଇଲା ଉପ ମୁଖ୍ୟମନ୍ତ୍ରୀ। ଜଣେ ନୁହେଁ ଦୁଇ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ପାଇଲା ଓଡିଶା। ପ୍ରଭାତୀ ପରିଡା ଓ କେଭି ସିଂଦେଓ ଦୁଇ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ।
ୟୁପି-ମଧ୍ୟପ୍ରଦେଶ-ଛତିଶଗଡ଼ ଭଳି ଓଡ଼ିଶାରେ ମଧ୍ୟ ବିଜେପି ଜଣେ ମୁଖ୍ୟମନ୍ତ୍ରୀ ଓ ଦୁଇ ଜଣ ଡେପୁଟି ମୁଖ୍ୟମନ୍ତ୍ରୀଙ୍କ ଫର୍ମୁଲା ଲାଗୁ କରିଛି। ଓଡ଼ିଶାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ।
ଶେଷଥର ପାଇଁ ୧୯୯୯ ମସିହାରେ ବସନ୍ତ ବିଶ୍ୱାଳ ଥିଲେ ଉପ ମୁଖ୍ୟମନ୍ତ୍ରୀ । ଓଡିଶାର ଶେଷ ଉପ ମୁଖ୍ୟମନ୍ତ୍ରୀ ରହିଥିଲେ ବସନ୍ତ। ଓଡିଶା ରାଜନୀତି ଇତିହାସରେ ସର୍ବମୋଟ ୩ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସହିତ ନୀଳମଣୀ ରାଉତରାୟ ଉପମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ । ସେହିପରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ଥିଲେ। ଜଣେ ହେମାନନ୍ଦ ବିଶ୍ୱାଳ ଓ ଅନ୍ୟ ଜଣେ ବସନ୍ତ ବିଶ୍ୱାଳ । ଆଉ ଏବେ ୨୫ ବର୍ଷ ପରେ ପୁଣି ଉପ ମୁଖ୍ୟମନ୍ତ୍ରୀ ପାଇଛି ଓଡିଶା। ଏଥର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଦୁଇ ଉପ ମୁଖ୍ୟମନ୍ତ୍ରୀ କାମ କରିବେ। ନିମାପଡା ବିଧାୟିକା ପ୍ରଭାତି ପରିଡା ଓ ପାଟଣାଗଡ଼ ବିଧାୟକ କେଭି ସିଂହଦେଓ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହେବେ।