thelifelinemedia
Latest Odisha News, Breaking News Today

କିଏ ହେବେ ଲୋକସଭା ବାଚସ୍ପତି, ଆରମ୍ଭ ହେଲାଣି ରେସ..ଜେଡିୟୁ ଓ ଟିଡିପି ଆଶାୟୀ..ଓଡିଶାରୁ ଭର୍ତ୍ତୃହରି ମହତାବ ବି ରେସରେ

ନୂଆଦିଲ୍ଳୀ: କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି। ଏଭଳି ମର୍ଯ୍ୟାଦାଜନକ ପଦ କାହାକୁ ମିଳିବ।କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ପରେ ଏବେ ସମସ୍ତଙ୍କର ନଜର ରହିଛି ବାଚସ୍ପତିଙ୍କ ଉପରେ। କିଏ ହେବେ ଲୋକସଭା ବାଚସ୍ପତି ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା। ‌ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଦୁଇ ପାଳିର ସରକାରରେ ବିଜେପି ଇଚ୍ଛାରେ ବାଚସ୍ପତି ବଛାଯାଇଥିଲେ। କିନ୍ତୁ ମୋଦୀଙ୍କ ତୃତୀୟ ପାଳିରେ ଏହା ସମ୍ଭବ ନୁହେଁ। କାହିଁକି ନା ଏଥର ବିଜେପିକୁ ସ୍ପଷ୍ଟ ବହୁମତ ମିଳିନି। ପ୍ରଥମ ଦୁଇ ପାଳିରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଥିଲା। ତେଣୁ ବାଚସ୍ପତି ମନୋନୟରେ ସେମିତି କିଛି ଅସୁବିଧା ହେଉ ନଥିଲା।ଏଥର ବିଜେପି ପାଖରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନଥିବାରୁ ବାଚସ୍ପତି ପଦ ଲାଗି ସହଯୋଗୀଙ୍କ ସହିତ ବିଚାର ଆଲୋଚନା ଜରୁରି ହୋଇପଡ଼ିଛି।ଏନ୍‌ଡିଏରେ ବିଜେପିର ଦୁଇ ପ୍ରମୁଖ ସହଯୋଗୀ ହେଉଛନ୍ତି ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଦଳ । ଉଭୟ ଦଳ ବାଚସ୍ପତି ପଦ ଉପରେ ନଜର ରଖିଛନ୍ତି। ବାଚସ୍ପତିକୁ ନେଇ ଯଦିଓ ନିର୍ଦ୍ଧିଷ୍ଟ ଭାବରେ ସେମିତି କିଛି ନାଁକୁ ନେଇ ଚର୍ଚ୍ଚା ନାହିଁ କିନ୍ତୁ ଏବେଠୁ ଅଙ୍କକଷା ଆରମ୍ଭ ହେଲାଣି। ବାଚସ୍ପତି ପଦ ଉପରେ ସେମାନଙ୍କର ନଜର ରହିଛି।

ମୋଦୀଙ୍କ ତୃତୀୟ ପାଳିର ବଡ ସହଯୋଗୀ ଥିବା ନୀତୀଶ ଚାହୁଛନ୍ତି ତାଙ୍କ ଦଳର ସାଂସଦଙ୍କୁ ବାଚସ୍ପତି କରାଯାଉ। ଚନ୍ଦ୍ରବାବୁଙ୍କର ମଧ୍ୟ ଦାବି ରହିଛି। ଓଡିଶା ମଧ୍ୟ ଚାହୁଁଚି ବାଚସ୍ପତି ପଦ ମିଳୁବୋଲି। କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବାଚସ୍ପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ସବୁକିଛି ନିର୍ଭର କରୁଛି ମୋଦୀ ଓ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଉପରେ। ଏଥର ବିଜେପି ସରକାରୀ କଳ ଚଳାଇବା ଭାରି କଷ୍ଟ ହୋଇପାରେ। ସେହି ଦୃଷ୍ଟିରୁ ଗୃହ ପରିଚାଳନା ବେଶ ଗୁରୁତ୍ବ ରଖୁଛି। ତେଣୁ ଯିଏ ଠିକ ଭାବରେ ଗୃହ ପରିଚାଳନା କରିପାରିବ ସେଇ ଲୋକକୁ ବାଚସ୍ପତି ପଦରେ ବସାଇପାରନ୍ତି ମୋଦୀ।

Leave A Reply

Your email address will not be published.