ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ, ବିଭାଗ ବାଣ୍ଟିଲେ ମୋଦୀ.. ପୂର୍ବ ମନ୍ତ୍ରାଳୟ ବଜାୟ ରଖିଲେ ଅଶ୍ୱିନୀ, ଧର୍ମେନ୍ଦ୍ର ଓ ଜୁଏଲ

ନୂଆଦିଲ୍ଲୀ: ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୋଦୀ। ଗତକାଲି ଶପଥ ନେବା ପରେ ଆଜି ମୋଦୀ ମନ୍ତ୍ରୀମାନଙ୍କୁ ବିଭାଗ ଦାୟିତ୍ବ ଦେଇଛନ୍ତି। ମୋଦୀ ସରକାର ୩.୦ର ଶପଥ ଗ୍ରହଣ ପରେ ଏବେ ମନ୍ତ୍ରୀପଦ ବଣ୍ଟନ ହୋଇଛି । ଅମିତ ଶାହାଙ୍କୁ ଗୃହ ବିଭାଗ ଦାୟିତ୍ୱ ମିଳିଛି। ସେହିପରି ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ ମିଳିଥିବା ବେଳେ ନୀତିନ ଗଡକରୀଙ୍କୁ ସଡକ ଓ ପରିବହନ ମନ୍ତ୍ରୀପଦ ମିଳିଛି । ପୂର୍ବରୁ ମଧ୍ୟ ସେ ଏହି ବିଭାଗରେ ନିଜ ଦାୟିତ୍ବ ପାଳନ କରିଆସିଛନ୍ତି । ନିର୍ମଳା ସୀତାରମଣଙ୍କୁ ପୂର୍ବ ଭଳି ଅର୍ଥ ବିଭାଗ ଦାୟିତ୍ବ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ।ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଛନ୍ତି। ଗତ ଥର ସେ ଏହି ବିଭାଗରେ କାମ କରୁଥିଲେ। ତାଙ୍କର କାର୍ଯ୍ୟ ଦକ୍ଷତା ଦେଖି ପୁଣି ଥରେ ତାଙ୍କର ଉପରେ ଭରଷା କରିଛନ୍ତି ମୋଦୀ। ସେହିପରି
ଜେପି ନଡ୍ଡାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଶିବରାଜ ସିଂହ ଚୌହାନଙ୍କୁ କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଓ ପଞ୍ଚାୟତିରାଜ ମନ୍ତ୍ରାଳୟ ମିଳିଛି । ମନୋହର ଲାଲ ଖଟ୍ଟରଙ୍କୁ ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ଦାୟିତ୍ବ, ଏଚଡି କୁମାରସ୍ୱାମୀ ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରାଳୟ, ପୀୟୂଷ ଗୋଏଲଙ୍କୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ , ସର୍ବାନନ୍ଦ ସୋନେୱାଲଙ୍କୁ ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରାଳୟ ଦାୟିତ୍ବ ପ୍ରଦାନ କରିଛନ୍ତି ମୋଦୀ ସରକାର ।
ଓଡିଶାର ତିନି ସାଂସଦ ସେମାନଙ୍କ ପୂର୍ବ ମନ୍ତ୍ରାଳୟ ବଜାୟ ରଖିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ, ଆଇଟି, ସୂଚନା ଓ ପ୍ରସାରଣ ଦାୟିତ୍ୱ ମିଳିଛି। ସେହିପରି ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପ୍ରଦାନ କରାଯାଇଛି।ଜୁଏଲ ତୃତୀୟ ଥର ପାଇଁ ଏହି ମନ୍ତ୍ରାଳୟର ମନ୍ତ୍ରୀ ହୋଇଛନ୍ତି | ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ ସେ ମନ୍ତ୍ରୀ ହୋଇଥିଲେ। ଦୁଇ ଥର ଯାକ ତାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହିଁ ମିଳିଥିଲା।