ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ, ବିଜେଡି ପରାଜୟ ପାଇଁ ହାତ ଯୋଡି କ୍ଷମା ମାଗିଲେ

ଭୁବନେଶ୍ୱର:ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ କାର୍ତ୍ତିକ ପାଣ୍ଡିଆନ ।ବହୁ ଚର୍ଚ୍ଚା ଆଲୋଚନା ପରେ ସାମ୍ନାକୁ ଆସିଛନ୍ତି ପାଣ୍ଡିଆନ।ବିଜେଡିର ପରାଜୟ ପାଇଁ ହାତ ଯୋଡ଼ି କ୍ଷମା ମାଗିଛନ୍ତି।କହିଛନ୍ତି ମହାପ୍ରଭୁଙ୍କ କୃପାରୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିଲି ଏବଂ ସଫଳ ହୋଇଛି ।ମୋର କୌଣସି ଉଦ୍ଦେଶ୍ୟ ନଥିଲା କେବଳ ପ୍ରିୟର ନେତା ନବୀନ ପଟ୍ଟନାୟକଙ୍କୁ ସହାୟତା କରିବାକୁ ରାଜନୀତିକୁ ଆସିଥିଲି । ସେ ଏହା ମଧ୍ୟ କହିଛନ୍ତି ନବୀନ ପଟ୍ଟନାୟକ ମୋର ଗୁରୁ । ବିଜେଡିର କୌଣସି ପଦରେ ନଥିଲି କିମ୍ବା ରାଜନୀତି ଲଢୁନଥିଲି ବୋଲି ପାଣ୍ଡିଆନ କହିଛନ୍ତି।
ଭିଡିଓ ବାର୍ତ୍ତା ଜରିଆରେ ସେ ରାଜନୀତି ଛାଡ଼ିଥିବା ଘୋଷଣା କରିଛନ୍ତି। କହିଛନ୍ତି, ମୋ’ ପାଇଁ ବିଜୁ ଜନତା ଦଳ ବହୁତ କ୍ଷତି ସହିଛି।ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ବିଜୁ ପରିବାରକୁ ମୁଁ ଏଥିପାଇଁ ହାତଯୋଡ଼ି କ୍ଷମା ମାଗୁଛି।ଚାକିରିରେ ଯୋଗଦେବାବେଳେ ଦେଇଥିବା ସମ୍ପତ୍ତି ତାଲିକା ଆଜି ବି ସମାନ ରହିଛି।ପୈତୃକ ସମ୍ପତ୍ତି ଛଡ଼ା ଅନ୍ୟ କେଉଁଠି ସମ୍ପତ୍ତି ନାହିଁ। ଚାକିରିର ୨୪ ବର୍ଷ ପରେ ମଧ୍ୟ ସେତିକି ହିଁ ସମ୍ପତ୍ତି ଅଛି। ମୋ ପ୍ରଚାର ଯୋଗୁ ଯଦି ବିଜେଡିକୁ କ୍ଷତି ପହଞ୍ଚିଛି, ସେଥିପାଇଁ ଦୁଃଖିତ। ମେଣ୍ଟରଙ୍କୁ ସହାୟତା ପାଇଁ ମୁଁ ଅବସର ନେଇ ବିଜେଡିରେ ମିଶିଥିଲି। ମୋ ଗୁରୁ ନବୀନ, ମୋ ନିଶ୍ବାସରେ ନବୀନ ପଟ୍ଟନାୟକ ହିଁ ରହିବେ ବୋଲି ପାଣ୍ଡିଆନ କହିଛନ୍ତି।